ଶାରଦୀୟ ବେଳାରେ ‘ଆବାହନୀ’ର ଚିତ୍ରକଳା ଉତ୍ସବ ତରୁଣ-ନବୀନଙ୍କ ସହ ପ୍ରବୀଣ ଚିତ୍ରଶିଳ୍ପୀଙ୍କ ସୃଜନର ସମନ୍ୱୟ
ସମ୍ବଲପୁର, ୭/୧୦: ଶାରଦୀୟ ଋତୁର ଆଧ୍ୟାତ୍ମିକତା, ସମ୍ବଲପୁରର ଲୋକପରମ୍ପରା ଓ ଚିତ୍ରକଳାର ସୃଜନଶୀଳତାକୁ ଏକାଠି କରିଛି ‘ଆବାହନୀ’। ମା’ ଦୁର୍ଗାଙ୍କୁ ଆବାହନ ଅବସରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଅଭିନବ ଚିତ୍ରାଙ୍କନ ପ୍ରତିଯୋଗିତା ଚଳିତବର୍ଷ ମଧ୍ୟ ସ୍ଥାନୀୟ ଶ୍ରୀ ଅରବିନ୍ଦ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସମ୍ବଲପୁରର ତରୁଣ, ନବୀନ ଓ ପ୍ରବୀଣ ଚିତ୍ରଶିଳ୍ପୀଙ୍କୁ ଏକ ମଞ୍ଚରେ ଆଣିବା ସହ ନୂଆ ପିଢ଼ିର ପ୍ରତିଭାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ଶୁଭ କଳସ, ଜୁହାର, ଫୁଲ ଚାଙ୍ଗୁଡ଼ି, ସମଲେଶ୍ୱରୀ ମନ୍ଦିର, ଜାଗର, ନିଶାନ, ମା’ ଦୁର୍ଗାଙ୍କ ମୂର୍ତ୍ତି, ରାବଣପୋଡ଼ି ଆଦି ବିଷୟବସ୍ତୁ ରହିଥିଲା। ଏହା ମାଧ୍ୟମରେ ସମ୍ବଲପୁରର ଲୋକଜୀବନ, ପରମ୍ପରା, ଧାର୍ମିକ ଚେତନା ଓ ସାଂସ୍କୃତିକ ଐତିହ୍ୟକୁ ଚିତ୍ରକଳାରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ ପ୍ରତିଯୋଗୀମାନେ।
ଆବାହନୀର ଏହି ଆୟୋଜନ କେବଳ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୀମିତ ନୁହେଁ। ଶିଶୁ ଓ ନବପିଢ଼ିର ଚିତ୍ରଶିଳ୍ପୀଙ୍କ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ଆଗକୁ ନେବା ସହିତ ପ୍ରବୀଣ ଚିତ୍ରଶିଳ୍ପୀଙ୍କ ଅଭିଜ୍ଞତାକୁ ନୂଆ ପିଢ଼ି ସହ ଯୋଡ଼ିବା ଏହାର ଏକ ବିଶେଷତ୍ୱ। ନୂଆ ପିଢ଼ିଙ୍କ ସୃଜନଶୀଳତାକୁ ସମ୍ମାନ ଦେବା ସହ ପୁରୁଣା ପିଢ଼ିର କଳାସାଧନାକୁ ସମ୍ମାନ ଜଣାଇବାର ଏହା ଏକ ସୁନ୍ଦର ପରମ୍ପରାରେ ପରିଣତ ହୋଇଛି।
ଆସନ୍ତା ୧୨ ତାରିଖରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ‘ଆବାହନୀ’ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିରେ ୮୦ରୁ ଊର୍ଦ୍ଧ୍ୱ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ ବୋଲି ଆବାହକ କୁଲଦୀପ ବର୍ମା ସୂଚନା ଦେଇଛନ୍ତି।
ପ୍ରଶାନ୍ତ ମାଝୀ, ସଞ୍ଜୟ ସାହୁ, ପବିତ୍ର ବେରିହା, ଦେବେନ୍ଦ୍ର ସାହୁ, ଅଞ୍ଜନ ପଟନାୟକ, ରାଜେଶ ବଢ଼ାଇ, ଜିତେନ୍ଦ୍ରୀୟ ବେହେରା, ଯୁଗଳ କିଶୋର ବାରିକ, ସୁବ୍ରତ ବେହେରା, ଅଞ୍ଜନ ରାୟ, ଆକାଂକ୍ଷା ପୂଜାରୀ, ଦୀପାଳି ସେଠ, ନମ୍ରତା ନାୟକ, ବର୍ଷାରାଣୀ ମହାକୁର, କମଳିନୀ ମହାଳିଙ୍ଗ, ଆୟୁଷ୍ମାନ ଦାସ ଓ ପ୍ରଜ୍ଞା ପରମିତା ପୂଜାରୀ ପ୍ରମୁଖ ଏହି ପ୍ରତିଯୋଗିତାର ଆୟୋଜନକୁ ସଫଳ ରୂପାୟନ କରିଥିଲେ।ପରମ୍ପରାକୁ ଚିତ୍ରରେ, ପିଢ଼ିକୁ ପିଢ଼ି ସହ ଯୋଡ଼ିବାର ଏହି ପ୍ରୟାସ ଶାରଦୀୟ ସମ୍ବଲପୁରର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିଛି।
