କାଉନସିଲ ଜୋନ୍-ଡି ବାଳିକା କବାଡ଼ିରେ ରାମଗିରି ଚାମ୍ପିୟନ
ସାନଖେମୁଣ୍ଡି :(ବିଜୟ କୁମାର ପ୍ରଧାନ )ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅକ୍ଟୋବର ୬ ଓ ୭ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକା କବାଡ଼ି ପ୍ରତିଯୋଗିତାର ଜୋନ୍-ଡି ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଜୋନ୍ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଦଳ ଅଂଶଗ୍ରହଣ କରିଥିଲେ।ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ୍ରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାମଗିରି ଏବଂ ମାଲକାନଗିରି ଜିଲ୍ଲାର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ମୁହାଁମୁହିଁ ହୋଇଥିଲେ। ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ରାମଗିରି ଦଳ ଖେଳର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନିଜର ଦବଦବା ବଜାୟ ରଖିଥିଲା। ଫଳରେ ରାମଗିରି ୩୨–୧୪ ପଏଣ୍ଟରେ ବିଜୟୀ ହୋଇ ଜୋନ୍-ଡି ବାଳିକା କବାଡ଼ିରେ ଚାମ୍ପିୟନ୍ ହୋଇଥିଲା।ଫାଇନାଲ୍ ପରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ପାଟପୁର ଥାନାର ଏଏସଆ ଏସ୍ କେ ଇମାଦାଦ ତରଫଦାର୍, ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନ କୁମାର ରଥ, କ୍ରୀଡ଼ା ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଓ ଷ୍ଟାଫ୍ କାଉନସିଲ୍ ସମ୍ପାଦକ ତଥା କଲେଜ ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।ଉକ୍ତ ପ୍ରତିଯୋଗିତାର ପରିଚାଳନାରେ ରାଜା ସିଂ, ମାଧବ ଖୁଣ୍ଟିଆ, ସମର କେଶରୀ ହାଜିରା ଏବଂ ଅନିଲ କୁମାର ସ୍ୱାଇଁ ଅମ୍ପାୟାର, ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୋମକାଇର ପ୍ରଦୀପ କୁମାର ପ୍ରଧାନ ରେଫରୀ, ସୁଶାନ୍ତ କୁମାର ପ୍ରଧାନ ସ୍କୋରର ଏବଂ ଶ୍ରୀକାନ୍ତ ଜେନା ଓ ପୀତବାସ ସୁଆଁସିଆ ଲାଇନ୍ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ ୧୨ ଟି ଜୋନ୍ ର ବିଜେତା ଙ୍କ ମଧ୍ୟରେ ଫାଇନାଲ ପ୍ରତିଯୋଗିତା ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ରେ ୯ ଏବଂ ୧୦ ଅକ୍ଟୋବର ରେ ଅନୁଷ୍ଠିତ ହେବ।
ପ୍ରତିଯୋଗିତା ଅବସରରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ପରିଲକ୍ଷିତ ହୋଇଥିଲା। ଆୟୋଜକ ବିଦ୍ୟାଳୟ ପକ୍ଷରୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
