ପଣ୍ଡି ଗ୍ରାମରେ ଜୀବିତ ବଜ୍ରକାପ୍ତା ଉଦ୍ଧାର। ୬ ଗିରଫ। ଗିରଫ ଅଭିଯୁକ୍ତଙ୍କୁ ନିଷ୍ଠୁର ମାଡ ଅଭିଯୋଗ।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ତଥା ଥାନା ଅନ୍ତର୍ଗତ ଧନସୁଲି ପଞ୍ଚାୟତ ଅଧିନସ୍ଥ ବଣ ଜଙ୍ଗଲ ଘେରା ପଣ୍ଡି ଗାଁରେ ଏକ ବଜ୍ରକାପ୍ତାର ଚୋରା ବେପାର ହେବାକୁ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସ.ଟି.ଏଫ ତରଫରୁ ମିଳିତ ଚଢ଼ାଉ କରାଯାଇ ଏକ ଜୀବିତ ବଜ୍ରକାପ୍ତା ଉଦ୍ଧାର କରିବା ସହ ସନ୍ଦେହରେ ଜଣେ ବୃଦ୍ଧଙ୍କ ସହ ଅନ୍ୟ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବାବେଳେ, ଗିରଫ ଅଭିଯୁକ୍ତଙ୍କୁ ବନ ବିଭାଗ କର୍ମଚାରିଙ୍କ ଦ୍ୱାରା ନିର୍ଦୋଷରେ ଗିରଫ କରାଯାଇ ନିଷ୍ଠୁର ଭାବରେ ମାଡ ମରାଯାଇଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଥିବାବେଳେ, ସମଗ୍ର ପଣ୍ଡି ଗାଁରେ ଗିରଫ ବୃଦ୍ଧଙ୍କୁ ମାଡ ମାରିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ବଜ୍ରକାପ୍ତାଟି ନିକଟସ୍ଥ ଜଙ୍ଗଲରୁ ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କ ଘରକୁ ନିଜେ ଚାଲି ଆସିଥିଲା ଏବଂ ବଜ୍ରକାପ୍ତାକୁ ଦେଖି ବୃଦ୍ଧ ଜଣକ ତାକୁ ଧରିଥିଲେ। ଏହାକୁ ନେଇ ବନବିଭାଗ କର୍ମଚାରୀ ବୃଦ୍ଧଙ୍କ ସହ ଅନ୍ୟ ପାଞ୍ଚ ଜଣଙ୍କୁ ଉଠେଇ ନେଇ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିସହ ଗ୍ରାମବାସୀ ମାନେ ମଧ୍ୟ ଜଣାଇଛନ୍ତି ଯେ’ ପଣ୍ଡି ଗାଁ ଟି ବଣ ପାହାଡ଼ ଘେରା ମଧ୍ୟରେ ଥିବାରୁ ବିଭିନ୍ନ ସମୟରେ ବାଘ, ଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ସହ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ମାନେ ଗ୍ରାମବାସୀଙ୍କ ଘର ମଧ୍ୟକୁ ପ୍ରବେଶ କରିବା ନୂଆ କଥା ନଥିବାବେଳେ, ଏକଥା ବନବିଭାଗ ମଧ୍ୟ ଭଲ ଭାବରେ ଜାଣିଛି ଏବଂ ଜାଣତରେ ମଧ୍ୟ ଛଅ ଜଣଙ୍କୁ ଗିରଫ କରି, ଖାସ କରି ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରବଳ ମାଡ ମାରିବା ବନବିଭାଗର କାର୍ଯ୍ୟକଳାପରେ ସନ୍ଦେହ ଜାତ କରୁଛି। (ତେବେ ବନବିଭାଗ ଦ୍ୱାରା ମାଡ଼ ମରା ଘଟଣାଟି ସମ୍ପୂର୍ଣ ସ୍ପଷ୍ଟ ହୋଇନାହିଁ)। ଏହି ଘଟଣାର ଉଚ୍ଚ ସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ତରଫରୁ ପ୍ରବଳ ଦାବି କରାଯାଇଛି।
