ଆମ ସଂସ୍କୃତି ଓ ପରମ୍ପରାରେ ଦାଣ୍ଡ ପହଁରା ଓଷା

ବୋଲଗଡ଼,(ଉପାନ୍ତ ଖବର): ଆମ ସଂସ୍କୃତିରେ ଓଡ଼ିଆ ଘରର ପରମ୍ପରା ଦେଶ ବିଦେଶ ସବୁଠି ପରିଚିତ l ବାର ମାସରେ ତେର ପର୍ବ ପାଳନ କରୁଥିବା ଓଡ଼ିଆଙ୍କର ଏହି ପର୍ବମାନ କାହିଁ କେତେ କାଳରୁ ଚାଲି ଆସୁଛି l ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି। ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ। ପୁରାଣ ଅନୁସାରେ
ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନଙ୍କର ଦୀର୍ଘ ଆୟୁ ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ କଥିତ ଅଛି ବିଶ୍ୱାସ କରି ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢ଼ି, ଖଇ, ମୁଆଁ, ଚୁଡ଼ା, କଦଳୀ,ମୂଳା,ଆଖୁ,କନ୍ଦମୂଳ ଆଦି ନ୍ୟୈବଦ୍ୟ କରାଯାଇଥାଏ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
