ଗୁଣ୍ଡରାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି
ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ -୦୬/୧୦/୨୫
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଣ୍ଡରା ପଞ୍ଚାୟତ ପରିସରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ ଶିବିରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅଭିନାଷ କୁମାର,ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ , ତହସିଲଦାର ଅଶୋକ ପଟ୍ଟନାୟକ,ସିଡ଼ିପିଓ ନମିତା ପଣ୍ଡା ,ବିଏସଏସଓ ସ୍ନେହାଶିସ୍ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଭଗବତୀ ପାଣିଗ୍ରାହୀ ,ନାଏବ ସରପଞ୍ଚ ଭି କୈଳାସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନିଷ ରାଜ ପାତ୍ରଙ୍କ ସହିତ ପାତ୍ରପୁର ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତି ରହି ପଞ୍ଚାୟତ ବାସିଙ୍କ ସମସ୍ତ ଅଭିଯୋଗ ଶୁଣାଣୀ କରିଥିଲେ। ଗୁଣ୍ଡରା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ପାଇଁ ଅଭିଯୋଗ ଶୁଣାଣୀ ସ୍ଥଳରେ ସହାୟକ କେନ୍ଦ୍ର ଓ ଅଭିଯୋଗ ପଞ୍ଜିକରଣରେ ପାତ୍ରପୁର ବ୍ଲକର ସମସ୍ତ ପିଇଓ ଓ ଏଡିଇଓ ସହଯୋଗ କରିଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବିକଳାଙ୍ଗ ଭତ୍ତା, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା,ଆବାସ, ରାସନ କାର୍ଡ, ସ୍ୱାସ୍ଥ୍ୟ, ସାର ଓ ଘର ପଟ୍ଟା ଆଦି ବିଭିନ୍ନ ବିଭାଗର ପ୍ରାୟ ୭୩ ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ବ୍ୟକ୍ତିଗତ ୬୮ ଓ ସାମୁହିକ ୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଜଣେ ଅସହାୟଙ୍କୁ ରେଡ୍ କ୍ରସରେ ୫୦୦୦/- ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା।ସାମୁହିକ ଅଭିଯୋଗରେ ଛୋଟ ଚାଷୀ ମାନଙ୍କୁ ସଠିକ ସମୟରେ ବିଲକୁ ସାର ମିଳୁନଥିବା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ନେଇ ଅଭିଯୋଗ ହୋଇଛି। ଏଥି ସହିତ ବିକଳାଙ୍ଗ ମାନଙ୍କୁ ବହୁ ଦିନ ଧରି ନୂତନ ବିକଳାଙ୍ଗ ପ୍ରମାଣ ପତ୍ର ମିଳୁନଥିବା ଯୋଗୁଁ ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅନ୍ୟା ସମସ୍ତ ଅଭିଯୋଗ ଉପରେ ତ୍ଵରିତ ପଦକ୍ଷେପ ନେବାକୁ ଉପ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଶିକ୍ଷା, ମତ୍ସ୍ୟ , କୃଷି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ , ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଉକ୍ତ ଜନ ଶୁଣାଣୀ ଶିବିରରେ ପୂର୍ବତନ ସରପଞ୍ଚ ଡି ସଞ୍ଜିବ ରାଓ,ଏ ପ୍ରଫୁଲ୍ଲଙ୍କ ସହ ବହୁ ଗ୍ରାମବାସୀ ସହଯୋଗ କରିଥିଲେ।
