ବୁଗୁଡ଼ା ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର
ବୁଗୁଡ଼ା : ତା ୦୬/୦୯/୨୪ : ବୁଗୁଡ଼ା ବ୍ଲକ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର
ସେଠୀଙ୍କ ଅଧ୍ଯକ୍ଷତା ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ସନ୍ତୋଷ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ଏପିଓ ମୁଜିବୁର ରହମନ୍ ମଲ୍ଲିକ ବିବରଣୀ ପଠନ କରିଥିଲେ।ଗତ ୨୦୨୩-୨୪ ବର୍ଷରେ ୨୩୭୯ଟି ପ୍ରକଳ୍ପ ମଧ୍ଯରୁ ୧୦୭୭ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ଏବଂ ୧୩୦୨ ଟି ପ୍ରକଳ୍ପର କାର୍ଯ୍ଯ ଚାଲୁଥିବା ବେଳେ ଏଥିରେ ୮୯୬.୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସେ ପାଠ କରିଥିଲେ । ଗତ ବର୍ଷ ୧୮,୭୩୦ ପରିବାର ପଞ୍ଜୀକୃତ ହୋଇଥିବା ବେଳେ ୧୭୧୮୮ ପରିବାରକୁ କାମ ଯୋଗାଇ ଦିଆଯାଇଥିଲା । ସେଥି ମଧ୍ଯରୁ ୧୯୮୦ଟି ପରିବାର ୧୦୦ ଦିନର କାମ ସଂପୂର୍ଣ୍ଣ କରିଥିଲେ ବୋଲି ଏପିଓ ତାଙ୍କର ବିବରଣୀରେ ବର୍ଣ୍ଣିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାନା ଯୋଗଦେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଏ ଅବସରରେ ଉପଜିଲ୍ଲାପାଳ ମନରେଗା ଯୋଜନାର କାମଗୁଡ଼ିକୁ ମିଳିମିଶି ସଠିକ୍ ଭାବରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ଯମାନଙ୍କ ମଧ୍ଯରେ ଏହି କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ଅଞ୍ଚଳ ଅଧିକାରୀ ଈଶ୍ବର ଚନ୍ଦ୍ର ଦଳାଇ, ବନପାଳ
ଶୁଭାଙ୍ଗ ରୟତ୍,ସହକାରୀ ଉଦ୍ଯାନ କୃଷି ବିଭାଗ ଅଧିକାରୀ ଶ୍ରୀକାନ୍ତ ସେଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ପିଇଓ, ଜିଆରଏସ, ଏଡିଇଓ, ବିଏଫଟି ଉପସ୍ଥିତ ଥିଲେ।