August 25, 2026

ଭଂଜନଗର/ବେଲଗୁଣ୍ଠା, ୫ ଜୁଲାଇ ..

IMG-20240706-WA0047
Share

” ବୃକ୍ଷ ହିଁ ଜୀବନ” କିମ୍ଵା “ବୃକ୍ଷ ଅଛି ତ ଜୀବନ ଅଛି” ଏହି ବାକ୍ୟ ଗୁଡ଼ିକର ଯଥାର୍ଥତା ଯେ କେତେ ଗୁରୁତ୍ଵ ପୂର୍ଣ୍ଣ ଏବଂ ସୁଦୂର ପ୍ରସାରି ତାହା ସମସ୍ତଙ୍କୁ ଅଳ୍ପ ବହୁତ ଜଣା। ବୃକ୍ଷ ବିନା ଏ ଧରା ପୃଷ୍ଠ, ସଚରାଚର ଜୀବଜଗତ ଧ୍ବଂସାଭିମୁଖୀ ଏ କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ତେଣୁ ବୃକ୍ଷ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଉପରେ ସବୁ ସ୍ତରରେ ସ୍ବତନ୍ତ୍ର ଗୁରୁତ୍ଵ ଦିଆଯାଉଛି। ବର୍ତ୍ତମାନ ସାରା ଭାରତରେ ସରକାରୀ ସ୍ତର ରେ ବନମହୋତ୍ସବ ସପ୍ତାହ ପାଳନ କରାଯାଉଅଛି। ପ୍ରତିବର୍ଷ ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ସମସ୍ତ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ରେ ପାଳନ ହୋଇଥାଏ। ଆଜିର କ୍ରମ ବର୍ଦ୍ଧିତ ଲୋକସଂଖ୍ୟା ର ତାଳେତାଳେ ଲୋକମାନଙ୍କ ଆବଶ୍ୟକତା ଅନୁସାରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି ଯାହା ଦ୍ଵାରା ବୃକ୍ଷ ସଂଖ୍ୟା କମିବାରେ ଲାଗୁଛି। ଏହାର କୁପ୍ରଭାବ ରେ ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ଝଡ ବାତ୍ୟା, ସୁନାମି, ଭୂମିକମ୍ପ, ବଜ୍ରପାତ, ଇତ୍ୟାଦି ଦେଖାଯାଉଛି। ଏଥି ପାଇଁ ବାୟୁମଣ୍ଡଳ ଅମ୍ଳଜାନ ର ମାତ୍ରା କମିବା ଫଳରେ ଓଜନ ସ୍ତରରେ ହ୍ରାସ, ବିଶ୍ଵ ତାପନ ଭଳି ସମସ୍ୟା, ସବୁଜ କୋଠରୀ ପ୍ରଭାବ, ବରଫାବୃତ ଅଞ୍ଚଳ ତରଳିବା ଯୋଗୁଁ ବିଭିନ୍ନ ସମସ୍ୟା ମାନ ମୁଣ୍ଡ ଟେକୁଛି। ଏହି ସବୁ ସମସ୍ୟାର ଏକମାତ୍ର ସମାଧାନ ବା ପ୍ରତିକାର ହେଉଛି ବ୍ୟାପକ ବୃକ୍ଷ ରୋପଣ। ଉପରୋକ୍ତ ସମସ୍ୟା ଓ ବିଷୟବସ୍ତୁକୁ ନଜରରେ ରଖି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ ଓ ଆଗ୍ରହ ସୃଷ୍ଟି କରିବାପାଇଁ ଭଂଜନଗର ର ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ “ବନମହୋତ୍ସବ ଏବଂ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ” ଆୟୋଜନ କରାଯାଇଥିଲା। ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ଆହ୍ଵାନ ଓ ପରାମର୍ଶ କ୍ରମେ ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଏବଂ ଅନୁଷ୍ଠାନ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ଙ୍କ ନେତୃତ୍ବରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଭଂଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି। ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ କୃତ୍ତିବାସ ବିଶ୍ଵାଳ, ଅବସରପ୍ରାପ୍ତ ରେଞ୍ଜ ଅଫିସର ଶ୍ରୀ ଅନୁପମ ବାନାର୍ଜୀ, ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ ଶ୍ରୀ ସୁରେଶ ଚନ୍ଦ୍ର ସ୍ଵାଇଁ, ମୁଜାଗଡ ରେଞ୍ଜର ଅଫିସର ଶ୍ରୀ ବିମ୍ବାଧର ସାହୁ, ଭଂଜନଗର ଆରଟିଓ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ରବି ନାରାୟଣ ମହାନ୍ତି, ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ଶ୍ରୀ ଶୂଳ ପାଣି ଶତପଥୀ, ଅବସରପ୍ରାପ୍ତ ଏବିଇଓ ଶ୍ରୀ ଜଗବନ୍ଧୁ ଯେନା ଓ ଶ୍ରୀ ନେତାଜୀ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ତାରିଣୀ, ସାମ୍ବାଦିକ ବନ୍ଧୁ, ସିଆରସିସି ତଥା ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା।
ସମସ୍ତ ମଞ୍ଚାସୀନ ଅତିଥି ଆଜିର ଏହି ମହାନ୍ କାର୍ଯ୍ୟକ୍ରମ ରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ତଥା ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ନିର୍ଦ୍ଦେଶନା ଓ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନେ ଜଙ୍ଗଲ ସୁରକ୍ଷା ଉପରେ ଆଧାରିତ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିବାପରେ ଆଜିର ସଭାକାର୍ଯ୍ୟ ପରିଚାଳନା ସଭାପତି ଶ୍ରୀ କୃତିବାସ ବିଶ୍ଵାଳ ସଭାର ପରି ସମାପ୍ତି ଘୋଷଣା କରିଥିଲେ। ପରିଶେଷରେ ସମସ୍ତ ଅତିଥି ବିଦ୍ୟାଳୟ ପରିସରରେ ଗୋଟିଏ ଗୋଟିଏ ଚାରା ରୋପଣ କରି ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଙ୍କ ନାରା “ଏକ ପୌଧା ମା କେ ନାମ” ସାକାର ରୂପ ଦେଇଥିଲେ।
ଆଜିର ଏହି ମହାନ୍ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ , ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ପାଚିକା ସହାୟିକା ଆଦି ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ।(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)