ବିଶ୍ୱ ପରିବେଶ ଦିବସ ପାଳନ…
ଆଜି ୨୦୨୬ ମସିହା ଜୁନ୍ ମାସ ୫ ତାରିଖ। ଆଜିର ଦିନରେ ସାରା ବିଶ୍ବରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଅଛି। ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷ ଚାରା ରୋପଣ, ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ପଶୁପକ୍ଷୀ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି, ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦ ତଥା ଶକ୍ତି ଉତ୍ସ ଗୁଡିକର ସୁରକ୍ଷା ଏବଂ ଅସରନ୍ତି ତଥା ନବୀକରଣ ଯୋଗ୍ୟ ପ୍ରାକୃତିକ ଉତ୍ସ ଗୁଡିକର ସୁବିନିଯୋଗ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ। ଆଜି ଭାରତର ପ୍ରତ୍ୟେକ ରାଜ୍ୟରେ, ପ୍ରତ୍ୟେକ ଜିଲ୍ଲାରେ, ସବଡିଭିଜନ ଓ ବ୍ଲକ୍ ମାନଙ୍କରେ ସରକାରୀ ଓ ବେସରକାରୀ ସ୍ତରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସ ପାଳନ କରାଯାଉଅଛି।
ସେହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକକଙ୍କ କାର୍ଯ୍ୟାଳୟ ଠାରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା। ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକକଙ୍କ କାର୍ଯ୍ୟାଳୟ ଠାରେ ବ୍ରହ୍ମପୁର ଡି ଏଫ୍ ଓ ଶ୍ରୀ ସନ୍ନି ଖୋଖର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ସରୋଜ କୁମାର ସାବତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଓ ବ୍ୟାପକ ବୃକ୍ଷ ଚାରା ରୋପଣ ଉପରେ ମତ ପ୍ରଦାନ କରିଥିଲେ ଓ ସମସ୍ତଙ୍କୁ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିବେଦନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଏବଂ ଛତ୍ରପୁର ୮ମ ବାଟାଲିୟନ କମାନଣ୍ଡେଣ୍ଟ୍ ଶ୍ରୀ ସାରଦା ପ୍ରସାଦ ଦାସ, ଏ ସି ଏଫ୍ ମାଣିକେଶ୍ଵରୀ ହାଁସଦ ଓ ଏ ସି ଏଫ୍ ମନୋଜ କୁମାର ପାତ୍ର। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଓ ପଦସ୍ଥ ଅଧିକାରୀ ବ୍ୟାପକ ବୃକ୍ଷ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି, ପରିବେଶ ପ୍ରେମୀ, ପରିବେଶ ଯୋଦ୍ଧା , ପ୍ରକୃତି ବନ୍ଧୁ ଓ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ସହିତ କାର୍ଯ୍ୟକ୍ରମ ର ସମସ୍ତ ପର୍ଯ୍ୟାୟକୁ ସଂଯୋଜନା କରିଥିଲେ ଗଞ୍ଜାମ ଜିଲ୍ଲା ଇକୋ କ୍ଳବ୍ କୋଅରଡିନେଟର୍ ଡଃ. ଶଙ୍କର ନାରାୟଣ ବେଜ୍। ପରିଶେଷରେ ବ୍ରହ୍ମପୁର ଏ ସି ଏଫ୍ ସସ୍ମିତା କୁମାରୀ ବିଶ୍ଵାଳ ଧନ୍ୟବାଦ ପ୍ରଦାନ କରିଥିଲେ।
ଆଜି ର ଏହି ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ସଂପର୍କିତ କାର୍ଯ୍ୟକଳାପ ପାଇଁ ଗଞ୍ଜାମ ଜିଲ୍ଲାର ୨୧ ଜଣଙ୍କୁ ପ୍ରକୃତି ବନ୍ଧୁ ଓ ୨୧ ଜଣଙ୍କୁ ପ୍ରକୃତି ମିତ୍ର ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ବିଜ୍ଞାନ ଶିକ୍ଷକ, ପ୍ରକୃତି ବନ୍ଧୁ ତଥା ସାମାଜିକ କର୍ମୀ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ଙ୍କ ଉଦ୍ୟମ ରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହୀନି କୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ସେହିପରି ପ୍ରକୃତି ବନ୍ଧୁ ତଥା ପରିବେଶ ପ୍ରେମୀ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ଙ୍କ ପ୍ରେରଣା ରେ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ପାଇଁ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋରଡ଼ା, ଗଞ୍ଜାମ, ଏବଂ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ, କେନ୍ଦୁବାଡି, ପୋଲସରା ଓ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଇକୋ କ୍ଳବ୍ ତଥା ସ୍କାଉଟ ଓ ଗାଇଡ୍ ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି, ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ୨ ଥର ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ, ତାଙ୍କର ଉଦ୍ୟମ ଓ ପ୍ରେରଣା ରେ ୩ ଟି ଅନୁଷ୍ଠାନ ପ୍ରକୃତି ମିତ୍ର ପୁରସ୍କାର ପାଇବା ସହ ଆସିକା ବ୍ଳକ ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ଓ ବେଷ୍ଟ ଇନଷ୍ଟିଚ୍ୟୁନାଲ ଆଓ୍ଵାର୍ଡ ପାଇଥିଲା। ଏହା ବ୍ୟତୀତ ଏହି ଶିକ୍ଷକ ବନ୍ଧୁ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ଚାରା ରୋପଣ ତଥା ସ୍ଵଛ ଭାରତ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରାୟ ୧୫ ଥର ସମ୍ମାନୀତ ହୋଇସାରିଲେଣି।(ବେଲଗୁଣ୍ଠା ବ୍ଳକରୁ ରିପୋର୍ଟର ପଞ୍ଚାନନ ସାହୁଙ୍କ ରିପୋର୍ଟ)
