March 11, 2026

ପରିବହନ ଓ ଶ୍ରମ ବିଭାଗର ଚଢାଉ,୧୧୬ ଜଣ ଶ୍ରମିକ ଉଦ୍ଧାର 

IMG-20250605-WA0048
Share

 

ମାଲକାନଗିରି,୦୫/୦୬

ମାଲକାନଗିରି ଜିଲ୍ଲା ପରିବହନ ଓ ଶ୍ରମ ବିଭାଗର କର୍ମଚାରୀମାନେ ଅଚାନକ ଏକ ଘୋରେଇ ବସରେ ୧୧୬ ଜଣ ଶ୍ରମିକମାନଙ୍କୁ ନେଇ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରୁଥିବା ବେଳେ ବସରୁ ୧୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅତ୍ୟଧିକ ଯାତ୍ରୀ ନେବା ଅଭିଯୋଗରେ ପରିବହନ ବିଭାଗ ବସ୍ ମାଲିକଙ୍କୁ ୨୪,୨୦୦ ଟଙ୍କା ଜରିମାନା ପକାଇଥିବା ସୂଚନା ମିଳିଛି।

ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ ଶ୍ରୀବାଲାଜୀ ନାମକ ଏକ ଘରୋଇ ବସ୍ ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିରେ ବସିବା କ୍ଷମତା ଠାରୁ ଚାରିଗୁଣା ଅଧିକା ଶ୍ରମିକ ନେଇ ଯାତ୍ରା କରୁଥିଲା । ଅଭିଯୋଗ ପାଇ ମାଲକାନଗିରି ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଇନସ୍ପେକ୍ଟର ଦୀପକ କୁମାର ସାହୁ, ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଅଟକାଇ ଥିଲେ । ଯାଞ୍ଚ ବେଳେ ବସ୍‌ରେ କ୍ଷମତା ଠାରୁ ଅଧିକ ଦାଦନ ଶ୍ରମିକ ଯାତ୍ରା କରୁଥିଲେ । ଏଥିରେ ୪ ଜଣ ଅନ୍ଯ ଯାତ୍ରୀଙ୍କୁ ମିଶାଇ ମୋଟ ୧୧୬ ଜଣ ଯାତ୍ରା କରୁଥିଲେ ।ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ମାଙ୍ଗିପାଲ୍ଲୀ ଅଞ୍ଚଳରେ ଏକ ଇଟାଭାଟି କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସେମାନେ ଏକ ବସ୍ ଯୋଗେ ନିଜ ଘର ବଲାଙ୍ଗୀର ଓ ନବରଙ୍ଗପୁରକୁ ଫେରୁଥିଲେ । ବସ୍‌ଟି କଣ୍ଟାବାଞ୍ଜି ଯାଉଥିବା ବେଳେ ମାଲକାନଗିରି ଆଞ୍ଚଳିକ ପରିବହନ ବିଭାଗ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲେ । ତେବେ ଉକ୍ତ ବସ୍‌ରୁ ୧୧୬ଜଣ ଶ୍ରମିକ ଉଦ୍ଧାର ହୋଇ ଥିଲା। ଶ୍ରମ ବିଭାଗ ସେମାନଙ୍କୁ ଜଳଖିଆ ଖୁଆଇ ଅନ୍ୟ ଏକ ବସରେ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଦାଦନ ଶ୍ରମିକଙ୍କ ପରିଚୟ ଓ ଠିକଣା ସଂଗ୍ରହ କରାଯାଇ ଥିବା ବେଳେ ବଲାଙ୍ଗୀରର ଦାଦନ ଚାଲାଣ ଦଲାଲଙ୍କୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣା ପଡିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ସୋମବାର ଦିନ ବାଲାଜୀ ଟ୍ରାଭେଲ୍ସର ଆଉ ଏକ ଘରୋଇ ବସ୍ ଅତ୍ୟଧିକ ଯାତ୍ରୀଙ୍କୁ ନେଇ କଣ୍ଟାବାଞ୍ଜି ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୩୫ଜଣ ଶ୍ରମିକ ଆହତ ହୋଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)