June 18, 2026

ବିଶ୍ଵ ପରିବେଶ ଦିବସ ପାଳିତ, ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ବିକାଶ ନୀତି ହିଁ ପରିବେଶ ପାଇଁ ସବୁଠାରୁ ବଡ଼ ବିପଦ ଅଟେ

IMG-20250605-WA0044
Share

 

ଆଜି ଲାଞ୍ଜିଗଡ ବ୍ଲକର ସିନ୍ଧିବାଲି ଛକ ଠାରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ସୁବାଷ କୁଲେସିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉଭୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ବିଭିନ୍ନ ଗ୍ରାମରୁ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ସରକାର ଓ ବଡ କମ୍ପାନୀମାନେ ହିଁ ଦେଶରେ ପରିବେଶ ପାଇଁ ସବୁଠାରୁ ବଡ ବିପଦ ବୋଲି କହିଥିଲେ । ବଡ କମ୍ପାନୀଙ୍କ ସ୍ଵାର୍ଥରେ ସରକାର ଯେଉଁ ବିକାଶ ନୀତି ଗ୍ରହଣ କରୁଛନ୍ତି, ତା’ର ଲାଗି ଦେଶରେ ପରିବେଶ ଦୃତ ବେଗରେ ଧ୍ଵଂସ ହେବାରେ ଲାଗିଛି ବୋଲି କହିଥିଲେ । ଗୋଟିଏ ପଟେ ପରିବେଶ ଦିବସରେ ସରକାର ଓ କମ୍ପାନିମାନେ ଗଛ ଲଗେଇ ନିଜକୁ ପରିବେଶ ସପକ୍ଷବାଦୀ ବୋଲି ଦାବି କରୁଛନ୍ତି ଅନ୍ୟପଟେ ବର୍ଷର ଅବଶିଷ୍ଟ ସମୟ ବିଭିନ୍ନ ପ୍ରକଳ୍ପ ନାଁରେ ଲକ୍ଷ ଲକ୍ଷ ଗଛ ଓ ଘଞ୍ଚ ଜଙ୍ଗଲକୁ ନଷ୍ଟ କରୁଛନ୍ତି ।

ଏହା ସେମାନଙ୍କ ପରିବେଶକୁ ନେଇ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି କହିଥିଲେ । ବରଂ ଜଙ୍ଗଲ ଓ ପରିବେଶକୁ ଧ୍ଵଂସ କରି ହେବାକୁ ଥିବା ଶିଳ୍ପାୟନ ଓ ଖଣି ଖନନ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ଆଦିବାସୀ ଓ ଗରିବ ଲୋକମାନେ ଯେଉଁ ପ୍ରତିରୋଧର ଲଢେଇ ଲଢ଼ୁଛନ୍ତି, ସେସବୁ ପରିବେଶକୁ ବଞ୍ଚାଇବାର ଲଢେଇ ଅଟେ । ବନୀକରଣ ନାଁରେ ସରକାରଙ୍କ ଜଙ୍ଗଲ ବିଭାଗ ଯେଉଁ ଗଛ ଲଗାଉଛନ୍ତି, ତାହା କୌଣସି ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରୁନି ବରଂ ବଗିଚା ସୃଷ୍ଟି କରୁଛି । ବରଂ ହଜାର ହଜାର ବର୍ଷ ଧରି ସୃଷ୍ଟି ହୋଇଥିବା ପ୍ରାକୃତିକ ଜଙ୍ଗଲକୁ ସରକାର ଧ୍ଵଂସ କରିବାରେ ଲାଗିଛନ୍ତି ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାମାଜିକ କର୍ମୀ ସତ୍ୟନାରାୟଣ ରାଓ ସରକାରଙ୍କ ପରିବେଶ ବିରୋଧି ନୀତିର ନିନ୍ଦା କରିଥିଲେ । ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ପୂର୍ବ ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ଓ ପରିବେଶ ବିରୋଧି ନୀତି ଏବେ ବି ଅବ୍ୟାହତ ରହିଛି ଏବଂ ବିକାଶ ତଥା ଶିଳ୍ପାୟନ ନାଁରେ ରାଜ୍ୟର ହଜାର ହଜାର ହେକ୍ଟର ମୁଲ୍ୟବାନ ଜଙ୍ଗଲକୁ ନଷ୍ଟ କରାଯାଉଛି ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ପଦ୍ମନାଭ ଚୌଧୁରୀ, ନିରଞ୍ଜନ ଆଚାର୍ଯ୍ୟ, କନୀନ୍ଦ୍ର ଜାଲିକା, ପୁରନ୍ଦର ଦଣ୍ଡସେନା, ଅର୍ଜୁନ ଚଣ୍ଡି, ଆଦିବାସୀ ନେତା ବଲି ମାଝୀ, ବନମାଳୀ ମାଝୀ, ଅର୍ଜୁନ କୁଲେସିକା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ କୁମାର ପ୍ରମୁଖ ଯୋଗଦେଇଥିଲେ । ଆଜିର ସଭାରେ ଡେଙ୍ଗ ସରଗି, ସିନ୍ଧିବାଲି, ବେଲମ୍ଵା, କପାଗୁଡା, ବସନ୍ତପଡା, ଜଗନ୍ନାଥପୁର, ଚଣାଲିମା, ଲେପଟାଗୁଡା, ବାତେଲିମା, କଂସାରୀ, ସେରକପାଡି, ବାତୁଡି, ଜରପା, ଭୂର୍ଷିଖମାର, ଖାଲଗୁଡା, ପାଣିମୁଣ୍ଡା, ରାଜୁଲଗୁବା, ସରାବାଲି, ପାଜିବାଲି ଆଦି ୩୦ ରୁ ଉର୍ଦ୍ଧ୍ବ ଗାଁର ଲୋକମାନେ ଅଂଶଗ୍ରହଣ କରିଥିଲେ।

ଲାଞ୍ଜିଗଡ଼,ପୁରନ୍ଦର ଦଣ୍ଡସେନା,/ ନ୍ୟୁଜ୍ ଉପାନ୍ତ ଖବର

You may have missed