ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା।

ଭୁବନେଶ୍ଵର ( ଦେବାଶିଷ ଦାଶ )
ଚଳିତ ବର୍ଷ+୨ ପରିକ୍ଷା ଫେବୃଆରୀ ୧୮ ରୁ ଅନୁଷ୍ଠିତ ହେବ , ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ସିଏଚ୍ଏସ୍ଇ ପକ୍ଷରୁ ଆଜି ପ୍ରେସ୍ମିଟ୍ କରି କୁହାଯାଇଛି ଯେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ୧୨୭୬ ସେଣ୍ଟରରେ ୩,୯୩,୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ଏଥି ସହିତ ପରୀକ୍ଷା ସୁରୁଖୁରୁ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ । ଦିବ୍ୟାଙ୍ଗ ପାଇଁ ୪ଘଣ୍ଟାର ପରୀକ୍ଷା ରହିବ । ପରୀକ୍ଷାକୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରିବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କପି ରୋକିବା ପାଇଁ ୫ ଥାକିଆ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ୩୦ ଜିଲ୍ଲାର ୩୫ ସ୍ଥାନରେ ସ୍କ୍ୱାଡ୍ ରହିବେ। ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ରହିବ । ପ୍ରତି ପରୀକ୍ଷା କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ରହିବ।