April 27, 2026

ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ବେହାଲ

IMG-20251004-WA0071
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ କିଛି ଦିନ ହେଲା ଲଘୁଚାପ ଯୋଗୁଁ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ କଲାହାଣ୍ଡି ଜିଲ୍ଲା ବେହାଲ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡିରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଲେଣି। ଓଡିଶାର ଦ୍ଵିତୀୟ ସର୍ବାଧିକ ଧାନ ଉତ୍ପାଦନକାରି ଜିଲ୍ଲା ଭାବରେ ଏବଂ ଏସିଆ ମହାଦେଶର ସବୁଠାରୁ ଉନ୍ନତ କିସମର କପା ଚାଷ ପାଇଁ କଳାହାଣ୍ଡି ଜଣାଶୁଣା। କିନ୍ତୁ ଲଗାଣ ବର୍ଷା ଯୋଗୁଁ, ଅଧିକାଂଶ ଚାଷୀ ବ୍ୟାଙ୍କରୁ ଋଣ ଆଣି ଚାଷବାସ କରୁଥିବାବେଳେ, ଅଧିକ ମାତ୍ରାରେ ଫସଲ କ୍ଷୟକ୍ଷତି ଯୋଗୁଁ ବର୍ତ୍ତମାନ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି। ଅନେକ ଚାଷୀ ଏବେ ଦାବି କଲେଣି ଯେ’ ସରକାର ଋଣ ଛାଡ଼ କରନ୍ତୁ। ଏହାଛଡା ନର୍ଲା ବ୍ଲକ ଅନ୍ତର୍ଗତ କୁରମେଲ ଗ୍ରାମରେ ଦେବରାଜ ମାଝୀ ନାମକ ଜଣେ ଚାଷୀଙ୍କ ଧାନ ଜମିରେ ଜଙ୍ଗଲୀ ହାତୀ ପଲ ମଧ୍ୟରାତ୍ରରେ ଆସି ସମ୍ପୂର୍ଣ ଧାନ ଚାଷ ନଷ୍ଟ କରିଥିବାବେଳେ, ଚାଷୀ ଜଣକ ନର୍ଲା ବନବିଭାଗ ଅଧିକାରୀଙ୍କ ନିକଟରେ କ୍ଷତିପୂରଣ ଦାବି ଜଣାଇଛନ୍ତି। ଏତଦବ୍ୟତୀତ ଲଗାଣ ବର୍ଷା ଓ ଝଡ ତୋଫାନ ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଗୁଡିକ ଉପୁଡି ପଡି ବିଦ୍ୟୁତ ତାର ଗୁଡିକ ଛିଣ୍ଡି ଯାଇ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାବେଳେ, ଅନେକ ସ୍ଥାନରେ ମୋବାଇଲ ନେଟୱାର୍କ ମଧ୍ୟ ଆସୁନାହିଁ। କେତେକ ସ୍ଥାନରୁ ଖବର ମିଳିଛି ଯେ’ଏହି ବର୍ଷା ଯୋଗୁଁ କେତେକ ଗ୍ରାମରେ କିଛି ଘରର ଆଜବେଷ୍ଟ ଉଡି ଯାଇଥିବାବେଳେ, କେତେକ କଚା ଘର ସମ୍ପୂର୍ଣ ଭାଙ୍ଗିଯାଇଛି। ଏନେଇ ଭବାନୀପାଟଣା ସାଂସଦ ଶ୍ରୀ ସାଗର ଚରଣ ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ କ୍ଷତିପୂରଣ ପାଇଁ ଦାବି ଜଣାଇଛନ୍ତି। ଏହାବାଦ କଳାହାଣ୍ଡିର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମାନଙ୍କ ମଧ୍ୟରେ ଗୋଟିଏ ଫୁରଲିଝରଣ ଜଳ ପ୍ରପାତ ଲଗାଣ ବର୍ଷା ଯୋଗୁଁ କରାଳ ରୂପ ଧାରଣ କରିଥିବା ଯୋଗୁଁ, ଯେକୌଣସି ପ୍ରକାରର ଦୁର୍ଘଟଣାକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ ଦିନ ପାଇଁ ପର୍ଯ୍ୟଟକ ମାନଙ୍କ ପାଇଁ ଫୁରଲିଝରଣର ମୁଖ୍ୟ ଫାଟକ ବନ୍ଦ ରଖାଯାଇଛି।