September 5, 2026

ଜନ୍ମାଷ୍ଟମୀରେ ଚାଷୀ ଭାଇଭଉଣୀଙ୍କୁ ‘ସିଏମ୍ କିଷାନ’ ଉପହାର ଗଞ୍ଜାମର ୨.୩୯ ଲକ୍ଷ ଚାଷୀ ପରିବାରଙ୍କ ଖାତାକୁ ଗଲା ୪୮.୨୧ କୋଟି ଟଙ୍କା

IMG-20260904-WA0034
Share

*ଛତ୍ରପୁର ରୁ ପି.କୃଷ୍ଣମୂର୍ତ୍ତିଙ୍କ ବ୍ୟୁରୋ ରିପୋର୍ଟ*

ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ଅନ୍ନଦାତା ଚାଷୀ ପରିବାରଙ୍କୁ ମିଳିଛି ଆର୍ଥିକ ସହାୟତା। ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତିରେ ଜିଲ୍ଲାର ୨ ଲକ୍ଷ ୩୯ ହଜାର ୨୨୨ ଚାଷୀ ପରିବାରଙ୍କୁ ମୋଟ ୪୮ କୋଟି ୨୧ ଲକ୍ଷ ୧୮ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

 

ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସିଂ ଜରିଆରେ ସହାୟତା ବଣ୍ଟନର ଶୁଭାରମ୍ଭ କରିଥିଲେ। ଡିବିଟି ମାଧ୍ୟମରେ ସହାୟତା ରାଶି ସିଧାସଳଖ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ପଠାଯାଇଛି।

 

ଏହି ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଅନ୍ନଦାତା ଚାଷୀ ଭାଇ ଓ ଭଉଣୀଙ୍କ କଲ୍ୟାଣ ଓ ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ‘ଜୟ ଯବାନ, ଜୟ କିଷାନ’ର ଆଦର୍ଶକୁ ଆଗେଇ ନେଇ ଚାଷୀଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

 

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଚାଷୀଙ୍କ ପାଇଁ ଧାନର ଏମ୍‌ଏସ୍‌ପି ଉପରେ ମିଳୁଥିବା ୮୦୦ ଟଙ୍କା ଇନପୁଟ୍ ସହାୟତା ସମେତ ବିଭିନ୍ନ କୃଷକକଲ୍ୟାଣ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ସହାୟତା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଚାଷ କାର୍ଯ୍ୟକୁ ଅଧିକ ସୁଦୃଢ଼ କରୁଛି ବୋଲି ସେ କହିଥିଲେ।

 

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ସାଧୁବାଦ ଜଣାଇବା ସହ କହିଥିଲେ ଯେ, ‘ସିଏମ୍ କିଷାନ’ ଯୋଜନାରୁ ଚାଷୀମାନେ ବାର୍ଷିକ ୪,୦୦୦ ଟଙ୍କା ଏବଂ ‘ପିଏମ୍ କିଷାନ’ ଯୋଜନାରୁ ୬,୦୦୦ ଟଙ୍କା, ଅର୍ଥାତ୍ ମୋଟ ୧୦,୦୦୦ ଟଙ୍କାର ସହାୟତା ପାଉଛନ୍ତି। ଏହା କୃଷି ଉପକରଣ କ୍ରୟ ସହ ଚାଷ କାର୍ଯ୍ୟରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛି।

 

ଚଳିତ ରବି ଋତୁ ପାଇଁ ଜିଲ୍ଲାର ୨,୩୯,୨୨୨ ଚାଷୀ ପରିବାରଙ୍କୁ ମୋଟ ୪୮ କୋଟି ୨୧ ଲକ୍ଷ ୧୮ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୨,୩୭,୪୯୭ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ୪୭ କୋଟି ୪୯ ଲକ୍ଷ ୯୪ ହଜାର ଟଙ୍କା ଏବଂ ୧,୭୨୫ ଜଣ ଭୂମିହୀନ କୃଷି ପରିବାରଙ୍କୁ ଜୀବିକା ନିର୍ବାହ ନିମନ୍ତେ ୭୧ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଛି।

 

ସମାରୋହରେ ପ୍ରତୀକାତ୍ମକ ଭାବେ ରଙ୍ଗାଇଲୁଣ୍ଡା ବ୍ଲକର ଯୁଧିଷ୍ଠିର ବେହେରା, ଛତ୍ରପୁର ବ୍ଲକର ଦୁର୍ଯ୍ୟୋଧନ ପ୍ରଧାନ, ଗଞ୍ଜାମ ବ୍ଲକର ବାସୀ ଦାସ ଓ ବିଶ୍ୱମ୍ବର ପ୍ରଧାନ ଏବଂ ପୁରୁଷୋତ୍ତମପୁର ବ୍ଲକର ରଞ୍ଜନ କୁମାର ବେହେରାଙ୍କୁ ଅତିଥିମାନେ ଚେକ୍ ପ୍ରଦାନ କରିଥିଲେ।

 

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ।