୩ ଜୁଆଆଡ୍ଡା ଉପରେ ଚଢାଉ , ୧୩ ଜୁଆଡି ଗିରଫ, ୪୧ ହଜାର ୧୮୦ ଟଙ୍କା ଜବତ
ବୁଗୁଡା : ତା ୦୩/୧୦/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ, ଚିଲିଖମା ଓ ସଙ୍କୁରୁ ଆଦି ୩ଟି ଗ୍ରାମରେ ଚାଲିଥିବା ଜୁଆଖେଳ ଉପରେ ପୋଲିସ ଚଢାଉ କରି ମୋଟ ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୪୧ ହଜାର ୧୮୦ ଟଙ୍କା, ଅନେକ ମୋବାଇଲ୍ ଓ ତାସକାଟା ଜବତ କରିଥିବା ଜଣାଯାଇଛି। ଗତ ଗୁରୁବାର ରାତିରେ ନଗୁଡୁ ଗ୍ରାମ ଛକରେ ଚାଲିଥିବା ଜୁଆଖେଳ ଉପରେ ଚଢାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨୮,୪୮୦ ଟଙ୍କା, ୫ଟି ମୋବାଇଲ ଓ ୫ଟି ତାସକାଟା ଜବତ କରିଥିଲା ବେଳେ ଏନେଇ କେସ୍ ନଂ ୬୨୧/୨୫ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସେହିପରି ଶୁକ୍ରବାର ସକାଳେ ପୁଣି ଚିଲିଖମା ଗାଁର ଆଡୁଆ ସାହିରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ ସହ ୫,୫୬୦ ଟଙ୍କା , ୨ଟି ମୋବାଇଲ ଓ ତାସକାଟା ଜବତ କରି କେସ୍ ନଂ ୬୨୨/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସଙ୍କୁରୁ ଗ୍ରାମର ରୋଡସାହିରେ ଚାଲିଥିବା ଜୁଆଖେଳ ଉପରେ ଚଢାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ ସହ ୭,୧୪୦ ଟଙ୍କା ଓ ତାସକାଟା ଜବତ ଘଟଣାରେ କେସ୍ ନଂ ୬୨୩/୨୫ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଉକ୍ତ ୩ଟି ଚଢାଉ କାର୍ଯ୍ୟ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ୱରେ ହୋଇଥିଲା ବେଳେ ଏଥିରେ ଏସ୍ଆଇ ବିନାୟକ ବିଧାର ଓ ଜ୍ଯୋତିଶ୍ରୀ ସାହୁ , ଏଏସ୍ଆଇ ସୁମନ୍ତ କୁମାର ବେହେରା, ରାଜକୁମାର ମହାପାତ୍ର ଓ ବାପୁଜୀ ଖଣ୍ଡଗିରିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।
