September 3, 2026

ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ମନ୍ଦିର ପୁନରୁଦ୍ଧାର ପାଇଁ ସମୀକ୍ଷା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

IMG-20260903-WA0063
Share

ପାରଳାଖେମୁଣ୍ଡି:୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର-୩ରେ ଅବସ୍ଥିତ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରାତନ ତଥା ଐତିହ୍ୟବହୁଳ ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ସ୍ୱାମୀ ମନ୍ଦିରର ପୁନରୁଦ୍ଧାରକୁ ନେଇ ଆଶା ସଞ୍ଚାର ହୋଇଛି। ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏହି ପୁରାତନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ନେଇ ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।ମନ୍ଦିର ପରିଦର୍ଶନ ସମୟରେ ମନ୍ଦିରର ପୁରାତନ ଇତିହାସ, ଧାର୍ମିକ ମହତ୍ତ୍ୱ ଓ ଏହା ସହିତ ଜଡ଼ିତ ଅନେକ ପୁରୁଣା ସ୍ମୃତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ମନ୍ଦିର ସ୍ଥାନୀୟ ଲୋକଙ୍କ ଧାର୍ମିକ ଆସ୍ଥା, ପରମ୍ପରା ଓ ଭାବନାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଥିବା ଜାଣି ବିଧାୟକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।ଏତେ ପୁରାତନ ଓ ଐତିହ୍ୟବହୁଳ ମନ୍ଦିର ଆଜି ପର୍ଯ୍ୟନ୍ତ କାହିଁକି ସଠିକ୍ ଭାବେ ପୁନରୁଦ୍ଧାର ହୋଇପାରିନାହିଁ ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ମନ୍ଦିରର ବର୍ତ୍ତମାନ ସ୍ଥିତି ଦେଖି ଏହାର ପୁନରୁଦ୍ଧାର ଆଉ ବିଳମ୍ବ କରାଯିବା ଉଚିତ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ।ବିଧାୟକ ରୂପେଶ ପାଣିଗ୍ରାହୀ କହିଥିଲେ ଯେ, ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ପାରଳାଖେମୁଣ୍ଡିର ପୁରାତନ ଐତିହ୍ୟ ଓ ଲୋକଙ୍କ ଆସ୍ଥାର ପ୍ରତୀକ। ତେଣୁ ଏହି ଐତିହ୍ୟକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ। ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।ଏଥିସହିତ ମନ୍ଦିର ପରିସରରେ ଥିବା ଲାଇବ୍ରେରୀର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହା ଫଳରେ ମନ୍ଦିରର ଧାର୍ମିକ ପରିବେଶ ସହିତ ଜ୍ଞାନ ଓ ଐତିହ୍ୟର ସଂରକ୍ଷଣ ମଧ୍ୟ ସମ୍ଭବ ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।ମା’ ଫୁଲସୁନ୍ଦରୀ ମନ୍ଦିରର ମଧ୍ୟ ହେବ ଉନ୍ନତିଏହି ଗସ୍ତ ସମୟରେ ବିଧାୟକ ନିକଟସ୍ଥ ମା’ ଫୁଲସୁନ୍ଦରୀ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ। ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବର୍ତ୍ତମାନ ସ୍ଥିତି ଓ ଅଧାରେ ରହିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ମନ୍ଦିରର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଆବଶ୍ୟକ ବନ୍ଦୋବସ୍ତ କରାଯିବ ବୋଲି ବିଧାୟକ ଆଶ୍ୱାସନ ଦେଇଥିଲେ। ଦୁଇଟି ପୁରାତନ ଧାର୍ମିକ ସ୍ଥଳର ବିକାଶ ନେଇ ବିଧାୟକଙ୍କ ଆଗ୍ରହକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀର୍ଘ ବର୍ଷ ଧରି ମନ୍ଦିରର ପୁନରୁଦ୍ଧାର ଓ ବିକାଶ ନେଇ ଦାବି ହୋଇଆସୁଥିଲା। ଅନେକ ପିଢ଼ିର ଆସ୍ଥା ଓ ଭାବନା ସହ ଜଡ଼ିତ ଏହି ମନ୍ଦିର ଯଦି ନୂଆ ରୂପ ପାଏ, ତେବେ ଏହା କେବଳ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ନୁହେଁ, ବରଂ ପାରଳାଖେମୁଣ୍ଡିର ଐତିହ୍ୟକୁ ସୁରକ୍ଷିତ ରଖିବାରେ ଏକ ବଡ଼ ପଦକ୍ଷେପ ହେବ।ବିଧାୟକଙ୍କ ଆଜିର ପରିଦର୍ଶନ ଓ ପ୍ରତିଶ୍ରୁତି ପରେ ମନ୍ଦିର କମିଟି, ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି। ବହୁ ପୁରାତନ ରସିକରାଜ ମହାପ୍ରଭୁଙ୍କ ମନ୍ଦିର ପୁଣିଥରେ ତାହାର ପୁରୁଣା ଗୌରବ ଫେରିପାଇବ—ଏହି ଆଶା ଏବେ ସମସ୍ତଙ୍କ ମନରେ ଦୃଢ଼ ହୋଇଛି।ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ମନ୍ଦିର କମିଟି ସଦସ୍ୟ ଗୋପୀନାଥ ପରିଛା, ମୂରଲୀଧର ପରିଛା, ବରିଷ୍ଠ ନାଗରିକ ଗଜେନ୍ଦ୍ର ପଣ୍ଡା, ବସ୍ତି ବାସିନ୍ଦା ସଭାପତି ତଥା ସାମ୍ବାଦିକ କୃଷ୍ଣ କୁମାର ବେହେରା, ବସ୍ତି ବାସିନ୍ଦା ସମ୍ପାଦକ ତଥା ମନ୍ଦିର କମିଟି ସଦସ୍ୟ ମଧୁ ବେହେରା, ମୁନା ମହାରଣା, ପ୍ରଦୁନ ପଡ଼ିଆରିଙ୍କ ସମେତ ବହୁ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।