April 26, 2026

ଗଜପତି ବନ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା…. ବିରଳ  କଲରାପତରିଆ ବାଘକୁ ଶିକାର କରି ବାଘ ମାଂସ ଖାଇଥିବା ବାପା, ପୁଅ ଓ ପୁତୁରା ଗିରଫ  

IMG-20250903-WA0009
Share

 

ପାରଳାଖେମୁଣ୍ଡି:୩/୯(ଗରୁଡ ଧ୍ୱଜ ଚୌଧୁରୀ)ବନ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିବା ସହ ବିରଳ କଲରାପତରିଆ ବାଘ ଶିକାର ନେଇ ଅନେକ ରହସ୍ୟ ପର୍ଦାଫାଶ ହୋଇପାରିଛି. ଗଜପତି ଜିଲ୍ଲାରେ ବିରଳ କଲରାପତରିଆ ବାଘକୁ ଶିକାର କରି ଏହାର ମାଂସକୁ ଖାଇବା ଅଭିଯୋଗରେ ଗଜପତି ଜିଲ୍ଲାର ବାପା-ପୁଅଙ୍କ ସହ ପୁତୁରା ଗିରଫ ହୋଇଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ଡିଏଫଓ କେ. ନାଗାରାଜୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଘଟଣା ନେଇ ସୂଚନା ଦେଇଛନ୍ତି ଯେ, ଏକ ବିରଳ କଲରାପତରିଆ ବାଘ ଛାଲ ଗଞ୍ଜାମ ଜିଲ୍ଲା ବନ ବିଭାଗ ଦ୍ୱାରା ଜବତ ହୋଇଥିଲା. ବାଘ ଛାଲ ଚୋରାଚାଲାଣ କରୁଥିବା ଅଭିଯୋଗରେ ଗଜପତି ଜିଲ୍ଲାର ମୋହନା ବ୍ଲକ ଗୋଚ୍ଛାଗୋଡା ଗ୍ରାମର ଚିତ୍ରା ମଲ୍ଲିକଙ୍କ ସମେତ ଚୋରାଚାଲାଣକାରୀମାନଙ୍କୁ ଗିରଫ କରାଯାଇଥିଲା. ଏହି ଘଟଣା ନେଇ ବନ ବିଭାଗ ତରଫରୁ ସୁଚିନ୍ତିତ ଭାବେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ ଅଧିକାରୀମାନଙ୍କୁ ନେଇ 2 ଗୋଟି ସ୍ୱତନ୍ତ୍ରଟିମ କରାଯାଇ ଗଜପତି ଜିଲ୍ଲାର ଚିତ୍ରାଙ୍କ ବୟାନ ଅନୁସାରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା. ଚଢ଼ାଉ କରିବା ପୂବରୁ ଚିତ୍ରା ମଲ୍ଲିକ ସ୍ପଷ୍ଟ କରି କହିଥିଲେ ଯେ, ଗଜପତି ଜିଲ୍ଲାର ପି. ଗୋବିନ୍ଦପୁର ଜଙ୍ଗଲରୁ ବିରଳ କଲରାପତରିଆ ବାଘକୁ ଶିକାର କରିବା ପରେ ନିକଟସ୍ଥ ମକାବାଡ଼ରେ ବାଘଟିକୁ କଟାଯାଇ ତାର ମାଂସକୁ ରାନ୍ଧି ଖାଇବା ସହ ବଳକା ମାଂସକୁ ସମ୍ପର୍କୀୟମାନଙ୍କୁ ବଣ୍ଟନ କରିଥିଲେ. ଏହାପରେ ବାଘ ଛାଲଟିକୁ 20 ଦିନ ପର୍ଯ୍ୟନ୍ତ ଶୁଖାଇ ରଖିବା ପରେ ବିକ୍ରୟ କରିବା ପାଇଁ ଯୋଜନା କରୁଥିବାବେଳେ ଗଞ୍ଜାମ ବନ ବିଭାଗ ଦ୍ୱାରା ଧରା ପଡ଼ିଥିଲେ. ଧରା ପଡିବା ପରେ ଅଧିକ ତଦନ୍ତ ପାଇଁ ବନ ବିଭାଗର ଦୁଇଟି ଟିମ୍ ଚିତ୍ରାଙ୍କ ଘରେ ଚଢ଼ଉ କରିଥିଲେ | ଏହି ଚଢ଼ାଉରେ ଚିତ୍ରାଙ୍କ ଘରେ ରହିଥିବା ପ୍ଲାଷ୍ଟିକ୍ ବୋତଲରେ ରଖା ଯାଇଥିବା କଲରାପତରିଆ ବାଘର ଚାରିଟି ଦାନ୍ତ, ଶିକାର ପାଇଁ ବ୍ୟବହୃତ ଗୋଟିଏ ଧନୁ ଓ ଗୋଟିଏ ଦେଶୀ ବନ୍ଧୁକ, ବିଭିନ୍ନ ପ୍ରକାର ଫାଶ, ମୋବାଇଲ୍ ଡିଭାଇସ୍ ଏବଂ ମୋବାଇଲ୍ ଫୋନ, ବ୍ଲୁ ଟୁଥ୍ ଗୋଟିଏ ଏବଂ ରକ୍ତ ଲାଗିଥିବା ଦା’ ଜବତ କରାଯାଇଥିଲା ବୋଲି ଗଜପତି ବନଖଣ୍ଡ ଅଧିକାରୀ କେ.ନାଗରାଜୁ ସୂଚନା ଦେଇ କହିଛନ୍ତିଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚିତ୍ରା ମଲ୍ଲିକଙ୍କ ପୁଅ ଶୁକଦେବ ମଲ୍ଲିକ ପୁତୁରା ଲାଲୁ ମଲ୍ଲିକଙ୍କୁ ମଧ୍ୟ ଗିରଫ କରାଯାଇଛି.