ବୁଗୁଡ଼ାରେ କାଳବୈଶାଖୀ ତାଣ୍ଡବ, ଅନେକ ଗଛ ଧରାଶାୟୀ, ବିଦ୍ଯୁତ୍ ସେବା ବ୍ଯାହତ

ବୁଗୁଡ଼ା : ତା ୦୩/୦୬/୨୬ : କାଳବୈଶାଖୀ ପ୍ରଭାବରେ ଘଣ୍ଟାଏ କାଳ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଫଳରେ ବୁଗୁଡ଼ା ସହର ମୁଖ୍ୟ ସଡ଼କରେ ଥିବା ଅଧିକାଂଶ ଗଛ ଡାଳ ଭାଙ୍ଗି ରାସ୍ତା ଓ ବିଦ୍ୟୁତ ତାର ଉପରେ ପଡିବା ସହ କିଛି ସ୍ଥାନରେ ଗଛ ଉପୁଡି ପଡି ଯାତାୟତରେ ବାଧା ସୃଷ୍ଟି ହୋଇଥିଲା l ଆଜି ଅପରାହ୍ନ ୪ଟା ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସି ଘଣ୍ଟାଏ କାଳ ପ୍ରବଳ ଛେଚିବା ସହ ତୀବ୍ର ବେଗରେ ପବନ ବୋହିଥିଲା l ଏହାର ପ୍ରଭାବରେ ବୁଗୁଡ଼ା ମେଡିକାଲ ପରିସରରେ ଗଛ ଉପୁଡି ପଡ଼ି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ବଡ ଶଙ୍ଖ ଓ ମୋଟବାଡି ରାସ୍ତାରେ ଗଛ ପଡି ଯାତାୟତ ପ୍ରଭାବିତ ହୋଇଛି l ଶକ୍ତିନଗର କେନାଲ ସାହିରେ ୩ଟି ଗଛ ଉପୁଡି ପଡିବା ଫଳରେ ସାହି ରାସ୍ତା ଜାମ ହୋଇଯାଇଥିଲା l ପୋଲସରା ରୋଡରେ ଏକ ନଡ଼ିଆ ଗଛ ଭାଙ୍ଗି ପଡିଥିବା ବେଳେ କିଛି ସ୍ଥାନରେ ହୋଡିଂ ଉଡିଯାଇ ବିଦ୍ୟୁତ ତାର ଉପରେ ଲଟକି ରହିଥିବା ଦେଖିବାକୁ ମିଳିଥିଲା l ବିଭିନ୍ନ ସ୍ଥାନରେ ଛିଣ୍ଡି ପଡ଼ିଥିବା ତାରକୁ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ସଜାଡି ବାରେ ଲାଗି ପଡ଼ିଥିବା ବେଳେ ଅଗ୍ନିଶମ କର୍ମଚାରୀ ଗଛ ହଟାଇବାରେ ଲାଗି ପଡିଥିଲେ l ବର୍ଷା ଯୋଗୁଁ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ହେଁ ବହୁ ସମୟ ଧରି ବିଦ୍ୟୁତ ସେବା ବ୍ଯାହତ ଯୋଗୁଁ ଲୋକଙ୍କୁ ମଶା ଦାଉରେ କଲବଲ ହେବାକୁ ପଡିଥିଲା l
