May 11, 2026

ଚଳିତ ବର୍ଷ ଭୁବନେଶ୍ବରରୁ ବିଶ୍ୱ ଦେଖିବ ଜନଜାତିଙ୍କ ଜୀବନଚର୍ଯ୍ୟା।

IMG-20250103-WA0031
Share

ଭୁବନେଶ୍ୱର ( ଦେବାଶିଷ ଦାଶ୍ )

 ପ୍ରଥମଥର ପାଇଁ ଭୁବନେଶ୍ୱରରେ ହେଉଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଛି ଆଦିବାସୀ ମେଳା-୨୦୨୫। ଏଥିରେ ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର କରାଯିବ। ଆସନ୍ତା ୫ ତାରିଖରୁ ଆରମ୍ଭ ହେଉଥିବା ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିବ ଡ୍ରୋନ୍‌ ଶୋ’। ୩୦୦ ଡ୍ରୋନ୍‌ ଦ୍ୱାରା ପ୍ରଦର୍ଶିତ ହେବ ଜନଜାତିଙ୍କ ଜୀବନୀଚର୍ଯ୍ୟା। ଏହାସହ ୪୫ରୁ ୬୦ମିନିଟ୍‌ ଅବଧିର ଥିମ୍‌ ବେସ୍‌ଡ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ସାଙ୍ଗକୁ କ୍ରିଏଟିଭ୍‌ ଥ୍ରୀଡି ଲାଙ୍ଗୁଏଜ୍‌ ଟ୍ରୀରେ ଆଦିବାସୀମାନଙ୍କ ବିଭିନ୍ନ ଭାଷା ବିଷୟରେ ଜାଣିବାକୁ ପାଇବେ ଦର୍ଶକ। ୧୫ରୁ ୨୦ ଫୁଟ ଉଚ୍ଚତାର ଏହି ଟ୍ରୀ’ରେ ଓଡ଼ିଶାରେ ବିଭିନ୍ନ ପ୍ରଜାତିର ଆଦିବାସୀଙ୍କ ଭାଷା ଶୁଣିବା ସହ ସମ୍ପୂର୍ଣ୍ଣ ତଥ୍ୟ ରହିବ। ସେହିପରି ୧୨ଦିନ ଧରି ୨ଟି ମାସ୍କଟ୍‌ ଆଦିବାସୀଙ୍କ ବେଶଭୂଷା ଓ ବସ୍ତ୍ର ପରିଧାନ କରି ମେଳା ସମ୍ପର୍କରେ ତଥ୍ୟ ପ୍ରଦାନ କରିବ।

କେବଳ ସେତିକି ନୁହେଁ; ଜନଜାତିଙ୍କ ଜୀବନଶୈଳୀକୁ ନେଇ ପ୍ରଦର୍ଶିତ ହେବ ଫ୍ୟାଶନ୍‌ ଶୋ’। ଏହି ଶୋ’ରେ ବିଭିନ୍ନ ପ୍ରଜାତିର ଜନଜାତିମାନେ ବ୍ୟବହାର କରୁଥିବା ବସ୍ତ୍ର ଓ ଅଳଙ୍କାର ଆଦି ପରିଧାନ କରିବେ ୨୦ରୁ ୩୦ଜଣ ମଡେଲ୍‌। ମେଳା ପରିସରରେ ଥିମାଟିକ୍‌ ୱାକ୍‌ ୱେ ସାଙ୍ଗକୁ ଆଉଟ୍‌ଡୋର୍‌ ଫାୟାର ୱାର୍କ ଶୋ’ ଦର୍ଶକଙ୍କୁ ଦେବ ନୂଆ ଅନୁଭୂତି। ସବୁଠାରୁ ଆକର୍ଷଣ ସାଜିବ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ଲେଜର୍‌ ସୋ’ ସାଙ୍ଗକୁ ଆଉଟ୍‌ଡୋର୍‌ ଫାୟାର ୱାର୍କ ସୋ’। ଏଥିସହିତ ଟ୍ରାଇବାଲ ଟାଟୁ ଆର୍ଟ ମଧ୍ୟ ମେଳାର ଅନ୍ୟତମ ଆକର୍ଷଣ ସାଜିବ।

ସୂଚନାନୁସାରେ, ଚଳିତ ବର୍ଷ ୧୨ଦିନ ଧରି ଚାଲିବାକୁ ଥିବା ଏହି ମେଳା ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ। ମେଳା ପରିସରରେ ୧୦୭ଟି ଷ୍ଟଲରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଝଲସିବ ଜନଜାଜତିଙ୍କ ଜୀବନଶୈଳୀ।