March 12, 2026

ଗଜପତି:- ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

IMG-20251002-WA0125
Share

ଗଜପତି ଜିଲ୍ଲା ସ୍ତରୀୟ ୧୫୬ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ୧୨୧ତମ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଅଛି ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୪.୩୦ ମି.ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରା ଯାଇଥିଲା ।

ସେହିପରି ସକାଳ ୭.୦୦ ଘଟିକା ସମୟରେ ଗାନ୍ଧୀ ଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥିଗଣ ଓ ସହରର ବହୁ ମାନ୍ଯ ଗଣ୍ଯ ବ୍ଯକ୍ତି ବିଶେଷ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା।

ପରେ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ଗାନ୍ଧୀ ଭଜନ ପରିବେଷଣ କରା ଯାଇଥିଲା । ପରେ ସର୍ବଧର୍ମ ପ୍ରାର୍ଥନା ରେ ଗୀତା ପାଠ ପରିବେଷଣ କରିଥିଲେ ଗୋପାଳ କୃଷ୍ଣ ପଣ୍ଡିତ , ବାଇବେଲ ପାଠ ପରିବେଷଣ କରିଥିଲେ ଫାଦର ପ୍ରଦୀପ୍ତ କୁମାର ଲିମ୍ମା ଓ କୋରାନ ପାଠ ପରିବେଷଣ କରିଥିଲେ ପର୍ବେଜ ଅଲ୍ଲାମ୍ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା -ପୌରପରିଷଦ ପାରଳାଖେମୁଣ୍ଡି , ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ପ୍ରାକ୍ତନ ସଦସ୍ୟ , ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପାରଳାଖେମୁଣ୍ଡି ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର ପ୍ରଧାନ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ ଅବସରରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ଜନନାୟକ ଥିଲେ ମହାତ୍ମା ଗାନ୍ଧୀ , ସେ ସତ୍ୟ ଓ ଅହିଂସାକୁ ନିଜର ଶକ୍ତି ପାଥେୟ କରି ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ। ତାଙ୍କର ଏହି ନିଆରା ଲଢ଼େଇ ଶୈଳୀ ସାରା ବିଶ୍ୱକୁ ପ୍ରେରଣା ଦେଇଥିଲା , ଗାନ୍ଧୀଜୀ ଆମକୁ କେବଳ ସ୍ୱାଧୀନତା ଦେଇ ନାହାନ୍ତି , ଜୀବନର ଅନେକ ମୂଲ୍ୟବାନ ଶିକ୍ଷା ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ , ତାଙ୍କର ସ୍ୱଚ୍ଛତା ଓ ସରଳ ଜୀବନଶୈଳୀ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିଛି। ସେ ତାଙ୍କ ଜୀବନର ଅନେକ ସମୟ ଦେଶର ଗରିବ , ନିଷ୍ପେସିତ ଲୋକମାନଙ୍କ ଉନ୍ନତି ପାଇଁ ସମାଜରେ ଥିବା ଅସ୍ପୃଶ୍ୟତା ଓ ଭେଦ-ଭାବକୁ ଦୂର କରିବାକୁ କହିଥିଲେ। ଗାନ୍ଧୀଜୀଙ୍କ ଡାକରା , ଦାଣ୍ଡି ଯାତ୍ରା ଏବଂ ଭାରତ ଛାଡ଼ ଆନ୍ଦୋଳନ ଭଳି କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲା।

ସେହିପରି ପାରଳାଖେମୁଣ୍ଡି ରେ ଗାନ୍ଧୀଙ୍କ ଗସ୍ତ ଉପରେ ମଧ୍ୟ ଆଲୋଚନା କରା ଯାଇଥିଲା । ଆମେ ସତ୍ୟ , ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ କରିବା ପାଇଁ ସମସ୍ତ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ।

ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇ ଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ,ଶିକ୍ଷକ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଶ୍ରୀ ଅପରାନନ୍ଦ ଆନନ୍ଦ ସମେତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————