ଜମି, ଜଙ୍ଗଲ ଉପରେ ଅଧିକାର ଦାବିରେ ଜିଲ୍ଲାର ଦଳିତ ଓ ଆଦିବାସୀମାନଙ୍କ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଆଜି ତିନୋଟି ସଂଗଠନ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା ।
ସର୍ବଭାରତୀୟ କୣଷକ ସଂଗଠନ ଏଆଇକେଏମ୍ଏସ୍, ଓଡ଼ିଶା ଦଳିତ ମହାସଭା ଓ ଅତ୍କଳ ଭାରତ ଆଦିବାସୀ ମଂଚ ପକ୍ଷରୁ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟି ବ୍ଳକରୁ ଦଳିତ ଓ ଆଦିବାସୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ତିନି ସଂଗଠନ ପକ୍ଷରୁ ନଅ ଦଫା ଦାବୀ ସମ୍ଵଳିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା । ପୂର୍ବରୁ ଜଣାଇବା ସତ୍ୱେ ଜିଲ୍ଲାପାଳ ଆଲୋଚନା କରିବାକୁ ଅନୁପସ୍ଥିତ ଥିବାରୁ ଆନ୍ଦୋଳନକାରୀମାନେ ଜିଦ୍ କରିଥିଲେ । ଶେଷରେ ଆସନ୍ତା ଜୁନ୍ ୯ ତାରିଖରେ ସଂଗଠନମାନଙ୍କ ପ୍ରତିନିଧି ଦଳଙ୍କୁ ଆଲୋଚନା ପାଇଁ ଜିଲ୍ଲାପାଳ ସମୟ ଦେବାକୁ ଘୋଷଣା କରିବାରୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କୁ ଆନ୍ଦୋଳନକାରୀମାନେ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଜଙ୍ଗଲ ଅଧିକାର ଆଇନ – ୨୦୦୬ ମୁତାବକ ବ୍ୟକ୍ତିଗତ ଓ ଗୋଷ୍ଠୀ ଜଙ୍ଗଲ ଶିରୋନାମା ପାଇବାରୁ ବଂଚିତ ଜିଲ୍ଲାର ବିଭିନ୍ନ ତହସିଲର ଆଦିବାସୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ କରି ଶିରୋନାମା ଓ ଶିରୋନାମା ପାଇଥିବା ଆଦିବାସୀଙ୍କୁ ଫାଇନାଲ ପଟ୍ଟା ପ୍ରଦାନ କରିବା, ସାନଖେମୁଣ୍ଡି ତହସିଲର ପୋଡ଼ାମାରୀ ରାଜସ୍ୱ ସର୍କଲର ରାଜନାପଲ୍ଲୀ, ବାଲିସାହି ସମେତ ଜିଲ୍ଲାର ବିଭିନ୍ନ ତହସିଲରେ ଅଣ ଆଦିବାସୀଙ୍କ ଜବର ଦଖଲରେ ଥିବା ଆଦିବାସୀଙ୍କ ଜମିକୁ ଜବରଦଖଲ ମୁକ୍ତ କରିବା, ବର୍ଷ ବର୍ଷ ଧରି ଜଙ୍ଗଲ ଜମିରେ ଚାଷ କରୁଥିବା ଆଦିବାସୀ ଓ ପାରମ୍ପରିକ ବନଜୀଦିଙ୍କ ଜମିରେ ଜଙ୍ଗଲ ଅଧୁକାର ସ୍ଥିର ନକରି ବନ ବିଭାଗ ପକ୍ଷରୁ ଦଳପୂର୍ବକ ବୃକ୍ଷରୋପଣ ଓ ଜୁଲୁମ୍ ବନ୍ଦ କରିବା, ସରକାରୀ ଜମିରେ ଚାଷ ଓ ବାସ କରୁଥିବା ସମସ୍ତ ଭୂମିହୀନ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜମି ଓ ଘରବାରି ପଟ୍ଟା ଯୋଗାଇ ଦେବା, ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଜିଲ୍ଲାର ସମସ୍ତ ଆଦିବାସୀ ଗ୍ରାମକୁ ଯଥାଶୀଘ୍ର ବିଦ୍ୟୁତ, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଓ ଓ ପକ୍କା ରାସ୍ତା ନିର୍ମାଣ କରିବା ଆଦି ଅନ୍ତର୍ଭୁକ୍ତ ଥିଲା । ଏତଦ ବ୍ୟତୀତ ଜିଲ୍ଲାର ବିଭିନ୍ନ ଗ୍ରାମରେ ଦଳିତମାନଙ୍କ ମନ୍ଦିର ପ୍ରବେଶ, ପୋଖରୀ ତୁଠରେ ପ୍ରବେଶ ଓ ଗାଁ ଦାଣ୍ଡରେ ବିବାହ ପଟୁଆର ନେବା ଆଦି ଉପରେ ରହିଥିବା ବେଆଇନ ଓ ଅମାନବିକ ବାରଣ ତଥା ପ୍ରତିବନ୍ଧ ପରି ଜାତିଗତ ଭେଦଭାବକାରୀ ପରମ୍ପରା ଓ ଅଭ୍ୟାସକୁ ବନ୍ଦ କରିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା, ଜିଲ୍ଲାରେ ଦଳିତ ଓ ଆଦିବାସୀ ଲୋକଙ୍କ ଉପରେ ଜାତିଗତ ନିର୍ଯ୍ୟତନା ମାମଲାରେ ଏତଲାକୁ ତୁରନ୍ତ ପଞ୍ଜୀକୃତ କରିବା ସହ ଯଥାଶୀଘ୍ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା. ଗତ ୨୬ ବର୍ଷ ଧରି ଜାତିଗତ ହିଂସା ଓ ବିତାଡ଼ନର ଶିକାର ହୋଇ ଗାଁ ଛାଡ଼ି ବାହାରେ ଅତ୍ୟନ୍ତ ଖରାପ ଅବସ୍ଥାରେ ରହୁଥିବା ଆସିକା ତହସିଲ ଅନ୍ତଗତ ବାଲିଛାଇର ୫୦ଟି ଦଳିତ ପରିବାରଙ୍କୁ ଗାଁରେ ଥଇଥାନ କରିବାକୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିର କାର୍ଯ୍ୟକାରୀତାକୁ ତ୍ବରାନ୍ବିତ କରିବା ଆଦି ଦାବିସ ଉପସ୍ଥାପିତ କରାଯାଇଥିଲା ।
ଆସନ୍ତା ଜୁନ୍ ୯ ତାରିଖରେ ସଂଗଠନମାନଙ୍କ ପ୍ରତିନିଧି ଦଳ ସହ ଜିଲ୍ଲାର ଦଳିତ ଓ ଆଦିବାସୀମାନଙ୍କ ସବୁ ସମସ୍ୟା ଉପରେ ଆଲୋଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଓହଳ ଛତ୍ରପୁର ଉପଜିଲ୍ଲାପାଳଙ୍କ ପ୍ରତିଶୣତି ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ସ୍ଥଳ ଛାଡିବାକୁ ରାଜି ହୋଇଥିଲେ । ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ରାଜ୍ୟ କମିଟି ସଦସ୍ୟ କୁଶନାଥ ପ୍ରଧାନ, ଜିଲ୍ଲା ଉପସଭାପତି ଲଡୁ କିଶୋର ଡାକୁଆ, ସମ୍ପାଦକ କାଳୁଚରଣ ନାୟକ, ଓଡିଶା ଦଳିତ ମହାସଭାର ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ, ଜିଲ୍ଲା କମିଟି ସଦସ୍ୟ ମିଥୁନ ନାୟକ, ସଞ୍ଜୟ ନାୟକ, ଅଖିଳ ଭାରତ ଆଦିବାସୀ ମଞ୍ଚର ରାଜ୍ୟ ନେତା ଅର୍ଜୁନ ଗମାଙ୍ଗ, ଜିଲ୍ଲା ଆବାହକ ଯକ୍ଷ ଗମାଙ୍ଗ, ସୁରେନ୍ଦ୍ର ମଳିକ, ଇଜକାଲ ରଇତ, ରବି ଶବର, ପଞ୍ଚୁ ଶବର ପ୍ରମୁଖ ନେତୃତ୍ୱ ନେଇଥିଲେ ।
