Share

ଡା.ରାଜାରାମ ଷଡଙ୍ଗୀ :

ବିଜେଡି ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଥମୁନି।ବରଂ ଯୋର ଧରିଛି ଚର୍ଚ୍ଚା। ଏ ନେଇ କୁଆଡେ ଦିଲ୍ଲୀରେ ଘନଘନ ବୈଠକ ଚାଲି ଶେଷରେ ଭାଗବଣ୍ଟା ଛିଣ୍ଡିଛି।କିନ୍ତୁ ଔପଚାରିତା ଦୃଷ୍ଟିରୁ ଏହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଏହାର ବାସ୍ତବ ଚିତ୍ର ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତରେ ସ୍ୱଷ୍ଟ ହେବାକୁ ଯାଉଛି। ଏହି ଖବର ବର୍ତ୍ତମାନ ଜାତୟ ସ୍ତରରେ ଚର୍ଚ୍ଚା ଚାଲିଛି। କାରଣ ଦିଲ୍ଲୀ ବିଜେପି ଅଫିସର ପାଣିପାଗ ଦେଖି ଏହି ମେଣ୍ଟ ହେବା ନେଇ ସ୍ପଷ୍ଟ ଅନୁମାନ କରାଯାଇଛି। ବିଜେପି ବିଜେଡିର ଉପର ମହଳ ନେତାଙ୍କ ମଧ୍ୟରେ ଏଭଳି କସରତ ଚାରିଥିବା ବେଳେ ଏହାର କୌଣସି ଖୋଜ ଖବର ତଳ ସ୍ତରକୁ ପହଞ୍ଚି ପାରିନାହିଁ,କିମ୍ବା ତଳ ସ୍ତରରୁ ଏଭଳି ସୂଚନା ଯେଭଳି ଲୋକଙ୍କ ପାଖକୁ ନଯିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଯାହା ହେବ ଉପର ସ୍ତରରୁ ସାଧାରଣ ଜନତା ପାଖକୁ ବାର୍ତ୍ତା ଯିବ।

ଯଦିଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ଏହାକୁ ମନଗଢା ଓ ଗୁଜବ ବୋଲି କହିଛନ୍ତି,କିନ୍ତୁ ଏହାର ବାସ୍ତବତା ଭିନ୍ନ।
ଯାହା ଜଣାପଡୁଛି ଏ ନେଇ ମୋଦିଙ୍କ ଓଡିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଯାହା କିଛି ଘୋଷଣା କରାଯିବ । ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅନ୍ତିମ ରୂପରେଖ ଦିଆସରିଛି। ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦୀତା କରିବାକୁ ଯାଉଥିବା ବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି। ଏ ଭିତରେ ପଶ୍ଚିମ ଓଡିଶାର ସମ୍ବଲପୁର, କଲାହାଣ୍ଡି,ସୁନ୍ଦରଗଡ ବଲାଙ୍ଗିର ଭଳି ପ୍ରମୁଖ ସହର ବିଜେପି ପାଖରେ ରହୁଛି।ସେହିପରି ବିଧାନସଭାର ୧୪୭ ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ଶାସକ ବିଜେଡି ୧୦୬ ଓ ସହଯୋଗୀ ବିଜେପି ୪୧ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି ବିଚାର ବିମର୍ଶ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଅଙ୍କରେ ପରିବର୍ତ୍ତନ ହୋଇପାରେ।ଯଦି ବିଧାନସଭାକୁ ନେଇ ଉଭୟ ଦଳ ମଧ୍ୟରେ ମତ ପାର୍ଥକ୍ଯ ରହୁଛି ତେବେବି ଏହା ସତ ହେବ ଓ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଉଭୟ ଦଳ ଏକାଠି ଲଢିବା ଏକ ପ୍ରକାର ନିଶ୍ଚିତ ବୋଲି ଉଭୟ ବିଜେପି ଓ ବିଜେଡି ଦଳର ଆଭ୍ୟନ୍ତର ହାବ ଭାବ ସ୍ପଷ୍ଟ କରୁଛି।ହୁଏତ ଏହି ମେଣ୍ଟ ହେଲେ ଉପ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ ପ୍ରସଙ୍ଗ ହୋଇ ଠିଆ ହେବ।

ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତା ମାନଙ୍କ ସାମନାରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି। ସେହିପରି ବିଜେଡି ଓ ବିଜେପି ମଧ୍ୟରୁ ଜଣେ ଲେଖାଏଁ ମୋଟ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଏକ ପ୍ରକାର ନିଷ୍ପତ୍ତି ସରିଥିବା କୁହାଯାଉଛି।ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ମଙ୍ଗଳବାର ୫ ତାରିଖ ଓଡିଶା ଗସ୍ତ ବେଳେ ଓଡିଶା ମଙ୍ଗଳବାଣୀ ଶୁଣିବ ବୋଲି ଏକପ୍ରକାର ଚିତ୍ର ସ୍ୱଷ୍ଟ ହେବ ବୋଲି ଧରାଯାଉଛି।କୁହାଯାଉଛି ମାର୍ଚ୍ଚ ୧ ତାରିଖ ବିଜେପି ନିର୍ବାଚନ ପରିଚାଳନା ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି କିଛି ନିଷ୍ପତ୍ତି ହୋଇଛି।
ତେବେ ଏହି ମେଣ୍ଟ ଦଳୀୟ ସ୍ୱାର୍ଥ୍ୟ ଠାରୁ ଦୂରରେ ରଖାଯାଇ ପୂର୍ବ ଭାରତର ବିକାଶ ନେଇ ଓଡିଶା ମାନଚିତ୍ର ବଦଲାଇ ବାକୁ ଉଭୟ ଦଳର ଶିର୍ଷ ନେତାଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଥିବା ନେଇ ଅବିଶ୍ୱାସ କରାଯାଇନପାରେ। ଏପରିକି ବିକଶିତ ଭାରତ ପାଇଁ ସମସ୍ତ ଜାତୀୟ ଯୋଜନାକୁ ପ୍ରତିଟି ରାଜ୍ୟରେ କାର୍ଯ୍ୟକାରୀ କରାଇ ନରେନ୍ଦ୍ର ମୋଦୀ ଏକ ଭାରତ ଶ୍ରେଷ୍ଟ ଭାରତର ନୂତନ ରୂପାନ୍ତରର ବିନ୍ଧିଣୀ ସାଜିବା ବଡକଥା କିଛି ନୁହେଁ । ଓଡିଶାରେ ବହୁ ଜାତୀୟ କାର୍ଯ୍ୟକ୍ରମକୁ ଓଡିଶା ସରକାର ନାମ ବଦଳାଇ ଯେଭଳି ଲୋକପ୍ରିୟତାର ଶୀର୍ଷକୁ ଉଠିଲେ ଏଭଳି ଶିକ୍ଷାକୁ ବିଜେପି ଗ୍ରହଣ କରି ଅସଲ ନେତୃତ୍ୱର ଅସଲ ପରିଚୟ ସୃଷ୍ଟି କରିବାକୁ ଯାଉଥିବା ନେଇ ଯେଉଁ ମହତ ଲକ୍ଷ ରଖିଛନ୍ତି ତାକୁମଧ୍ୟ ଅଣଦେଖା କରିବା ଠିକ ହେବ ନାହିଁ।

ଏହାବି ସତ ସାଂପ୍ରତିକ ସମୟରେ ନବୀନ ସରକାରଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ବିଜେଡିକୁ ଯାଇଥିବା କଂଗ୍ରେସର ଭୋଟ ବର୍ତ୍ତମାନକୁ କଂଗ୍ରେସ ଗେଟେଇବାକୁ ନିଜର କସରତ ଅରମ୍ଭ କରିଛି।ସେପଟେ ବିଜେପି ଏକାକି ଲଢ଼ି ସରକାର ଗଠନ କରିବ ସେଭଳି ମଧ୍ୟ କୌଣସି ସମ୍ଭାବନା ରହୁନି।ଅବଶ୍ୟ ଏହା ସତ ବିଜେପି ସପକ୍ଷରେ ଜନମତ ରହୁଛି। କିନ୍ତୁ ଶିର୍ଷ ନେତାଙ୍କ ମଧ୍ୟରେ ରିକ୍ସ ନଉଠାଇ ପ୍ରଥମ ସରକାର ପରି ୨୦୨୪କୁ ସାଉଁଟି ନେବାକୁ ଏକ ପ୍ରକାର ନିଷ୍ପତ୍ତିରେ ସହମତି ହୋଇଥିବା ଓ ପରବର୍ତ୍ତି ସମୟରେ ଉଭୟ ଦଳର କିଛି ନେତାଙ୍କୁ ଭଲ ଯାଗାରେ ଥଇଥାନ କରିବା ନେଇ ମଧ୍ୟ ଅଙ୍କ କଷା ସରିଥିବା ନେଇ ସନ୍ତୁଷ୍ଟ ଜନକ ବୁଝାମଣା ସରିଛି।ତେବେ ଉଭୟ ଦଳ ପାଇଁ କଂଗ୍ରେସ ମଧ୍ୟ ଏକ ଫ୍ୟାକ୍ଟର ହୋଇଥିବା ଯୋଗୁଁ କଂଗ୍ରେସକୁ ଦୂରେଇ ରଖିବା ପାଇଁ ଏଭଳି ମନ୍ତ୍ରଣା ଏକ ବୁଝାମଣାର ସୂତ୍ର ହୋଇଛି। ଯଦିଓ ମେଣ୍ଟ ହୋଇ ମେଣ୍ଟକୁ ସଫଳତା ମିଳେ ତେବେ ଜାତୀୟ କାର୍ଯ୍ୟକ୍ରମ ଅନୁଯାୟୀ ସଭିଙ୍କ ମୌଳିକ ଅଧିକାର ରହୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଖାଦ୍ୟ ଖାଉଟି କଲ୍ୟାଣ,ଶିକ୍ଷା ଭଳି ଆଦର୍ଶଗତ ମନ୍ତ୍ରୀ ମଣ୍ଡଳ ବିଜେପି ନିଜ ପାଖରେ ରଖି ଓଡିଶାର ନୂତନ ରୂପାନ୍ତରଣର ଅନ୍ୟତମ ବିନ୍ଧାଣୀ ସାଜିବା ସପକ୍ଷରେ ବିଜେପି ମହତ ଲକ୍ଷ୍ୟ ରହିଥିବା ନେଇ କୁହାଯାଉଛି। ତେବେ ଏଭଳି ଆଲୋଚନା ଚର୍ଚ୍ଚାକୁ ଆଉ ୨ ଦିନ ବାକି ଥିବା ବେଳେ ଅସଲ ଉଦ୍ଦେଶ୍ଯକୁ ମୋଦୀହିଁ ସ୍ୱଷ୍ଟ କରିବେ ଏଭଳି ଆଭାସ ସ୍ୱଷ୍ଟ ହେଉଛି।
ଫୋନ:୯୪୩୭୪ ୦୫୪୫୫