ବୁଗୁଡ଼ା ଅଞ୍ଚଳରେ ଶୀତର ପ୍ରଭାବ ଜାରି , ସକାଳ ୯ଟା ପର୍ଯ୍ୟନ୍ତ କୁହୁଡି ରହୁଛି ଘେରି

ବୁଗୁଡ଼ା : ତା ୦୨/୦୧/୨୬: ଗତ କିଛି ସପ୍ତାହ ହେଲା ପାରଦ ତଳକୁ ଖସୁଥିବାବେଳେ ସୀମାନ୍ତ ବୁଗୁଡା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଫଳରେ ସହରରେ ଜାଡ଼ର ପ୍ରକୋପ ବଢୁଥିବା ସହ ସକାଳ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେଉଥିବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । ସଂପ୍ରତି ଦିନସାରା ମେଘୁଆ ପାଗ ସହ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାତିରେ ତାପମାତ୍ରା ୧୨ ଡିଗ୍ରି ତଳକୁ ଖସୁଛି। ଅପରାହ୍ନରୁ ଧିରେ ଧିରେ କୋହଲା ପବନ ହେଉଥିବା ବେଳେ ସନ୍ଧ୍ୟା ପରେ ଶୀତର ପ୍ରକୋପ ବଢ଼ି ଅସହ୍ୟ ଥଣ୍ଡା ହେଉଛି। ଏଥି ସହ ରାତିରେ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି ଏବଂ ପାହାନ୍ତିଆ ବେଳକୁ ଘନକୁହୁଡ଼ି କାରଣରୁ ଗାଡ଼ି ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି କରୁଛି । ଏଥିପାଇଁ ଲୋକେ ବିଳମ୍ବରେ ଘରୁ ବାହାରୁଛନ୍ତି। ତେବେ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଶୀତର ମଜା ଉଠାଉଛନ୍ତି। ଖେଳପଡ଼ିଆ ଓ ଚାହା ଦୋକାନରେ ଭିଡ଼ ଜମୁଛି। ଶୀତବସ୍ତ୍ର ପିନ୍ଧି ଲୋକେ ଦଳଦଳ ହୋଇ ପ୍ରାତଃଭ୍ରମଣରେ ବାହାରୁଛନ୍ତି। ସେହିପରି ସନ୍ଧ୍ୟା ଓ ସକାଳେ ବିଭିନ୍ନ ସ୍ଥାନରେ ଲୋକେ ଶୀତରୁ ରକ୍ଷା ପାଇବାକୁ ନିଆଁ ଜାଳୁଛନ୍ତି । ଗତ କିଛି ବର୍ଷ ହେଲା ଏଭଳି ଶୀତ ଉଭେଇ ଯାଇଥିଲା । କିନ୍ତୁ ଚଳିତ ବର୍ଷ ଶୀତ ଅନୁଭୂତ ହେଉଥିବା ବେଳେ ଆଗକୁ ବି ଏହାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ଜଣାଯାଇଛି ।
