April 26, 2026

ଉମରକୋଟ ରେ ଧାନ ମଣ୍ଡି ଖୋଲିବାରେ ଡେରି, ଚାଷୀ ଚିନ୍ତାରେ………

IMG-20251201-WA0053
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନ ଅମଳ କଲେଣି ଚାଷୀ ହେଲେ ଏପର୍ଯ୍ୟନ୍ତ ଖୋଲିନାହିଁ ଧାନ ମଣ୍ଡି । ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ପାଇଁ ବିଳମ୍ବିତ ମଣ୍ଡି, ଚିନ୍ତାର ବିଷୟ ପାଲଟିଛି। ଚାଷୀ ନିଜ ଖଳାରେ ଅମଳ ଧାନକୁ ସାଇତି ରଖିଛନ୍ତି । ମଣ୍ଡିରେ ବିକିବେ ବୋଲି, ଏଣେ ଚାଷୀଙ୍କ ପଛରେ ପଡିଲେଣି ବେପାରୀ । ମଣ୍ଡି ନଖୋଲିବାରୁ ଚାଷୀ ବି ନିଜ କଷ୍ଟ ଉପାର୍ଜିତ ଧାନକୁ ବେପାରୀ ହାତକୁ ଟେକି ଦେବାକୁ ଚିନ୍ତା କଲେଣି ।

ଚଳିତ ବର୍ଷ ଖରିଫ୍‌ ଧାନ ଚାଷକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଉମରକୋଟ ର ଚାଷୀ । କେତେବେଳେ ଅତ୍ୟଧିକ ବର୍ଷା, ପୁଣି କେତେବେଳେ ସାର ସଙ୍କଟ । ଏସବୁ ପରେ ରୋଗପୋକ ନାକେଦମ୍‌ କରିଥିଲା । ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର ଫସଲ ବଞ୍ଚାଇଛନ୍ତି । ଅମଳ କରି ଖଳାକୁ ଆଣିଛନ୍ତି । ଉମରକୋଟ ବ୍ଲକରେ ପ୍ରାୟ ୭୦%ରୁ ଅଧିକ ଧାନ କଟା ସରିଲାଣି । ଆଉ ୨ ସପ୍ତାହ ସୁଦ୍ଧା ପ୍ରାୟ ସବୁ ଅମଳ ହୋଇଯିବ । ହେଲେ ଏଯାଏଁ ଜିଲ୍ଲାରେ ଖୋଲିନି ମଣ୍ଡି । ସେପଟେ ଆସନ୍ତା ମାସ ଡିସେମ୍ବର ୧୭ରେ ମଣ୍ଡି ଖୋଲିବ ବୋଲି ସ୍ଥିର କରିଛି କମିଟି ।ଶୀତକାକର, ଅଦିନିଆ ବର୍ଷା ଏବଂ ଚୋରି ଭୟରେ ଖଳାରେ ଧାନକୁ ଛାଡ଼ି କେଉଁଆଡ଼େ ଯାଇପାରୁନାହାନ୍ତି ଚାଷୀ। ସବୁ ସମୟରେ ଖଳାରେ ଜଗି ରହୁଛନ୍ତି । ସେପଟେ ଘରକୁ ଆସିଲେଣି ଚାଷ ପାଇଁ ହାତ ଉଧାରି ଦେଇଥିବା ସାହୁକାର ଓ ଔଷଧ ଦୋକାନୀ । ଆଉ ଏଭଳି ପରିସ୍ଥିତିର ସୁଯୋଗ ନେବାକୁ ଅନେଇ ବସିଛନ୍ତି ବ୍ୟବସାୟୀ । ଗାଁ ଗାଁ ବୁଲି ଧାନ କିଣିବାରେ ଲାଗିପଡିଛନ୍ତି । ମଣ୍ଡି ଖୋଲି ନଥିବାରୁ ଧାନ ବେପାରୀ ଓ ଦଲାଲମାନେ ଚାଷୀଙ୍କ ଭାଗ୍ୟ ବିଧାତା ସାଜିଛନ୍ତି। ସେମାନେ ହିଁ ଧାନ ଦର ସ୍ଥିର କରୁଛନ୍ତି । କ୍ୱିଣ୍ଟାଲ ପ୍ରତି ୧୮ଶହରୁ ୨ହଜାର ଟଙ୍କାରେ କିଣି ନେଉଥିବା ଜଣାପଡ଼ିଛି । ଫଳରେ ସରକାରଙ୍କ ୮ ଶହ ଟଙ୍କା ବୋନସ୍‌ ଚାଷୀଙ୍କ ପାଇଁ ମରୁଭୂମିର ମରୀଚିକା ସଦୃଶ ହୋଇଛି । ସେପଟେ ଆଗାମୀ ଡିସେମ୍ବର ୧୭ ତାରିଖରୁ ଜିଲ୍ଲାରେ ଉମରକୋଟ ବ୍ଲକରୁ ଧାନ କିଣା ଆରମ୍ଭ କରାଯିବ। ଯେଉଁମାନେ ଅମଳ କରିଛନ୍ତି, ସେମାନେ ସାଇତି ରଖନ୍ତୁ ମଣ୍ଡି ଖୋଲିଲେ ବିକ୍ରି କରିବେ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।