ଗଜପତି:- ସି:ୟୁ:ଟି:ଏମ: ରେ ପୋଷଣ ସପ୍ତାହ-୨୦୨୬ର ଶୁଭାରମ୍ଭ : “ସଠିକ୍ ପୋଷଣ” ବିଷୟ ବସ୍ତୁକୁ ନେଇ ସଚେତନତା କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଣ୍ଟୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ)ର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ପୋଷଣ ସପ୍ତାହ-୨୦୨୬ ପାଳନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆଜି ୧ ସେପ୍ଟେମ୍ବର ୨୦୨୬ରେ ନିକଟସ୍ଥ ଗୋଷାଣୀ ବ୍ଲକର ରଣଦେବୀ ଗ୍ରାମ ଠାରେ ପୋଷଣ ସପ୍ତାହର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଥମ ଦିନର ବିଷୟ ବସ୍ତୁ ଥିଲା “ସଠିକ୍ ପୋଷଣ”।
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ସୁସ୍ଥ ଜୀବନ-ଯାପନ ପାଇଁ “ସନ୍ତୁଳିତ ଓ ପୋଷଣ ଯୁକ୍ତ ଖାଦ୍ୟର ଗୁରୁତ୍ୱ” ସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ସଠିକ୍ ପୋଷଣ ଶରୀରର ସୁସ୍ଥ ବିକାଶ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷାରେ କିପରି ସହାୟକ ହୋଇଥାଏ , ସେ ସମ୍ପର୍କରେ ମଧ୍ୟ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସଚେତନତା ଓ ଶିକ୍ଷା ମୂଳକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହୋଇଥିଲା । ଏଥିରେ ମୁଖ୍ୟତଃ ପୋଷ୍ଟର ପ୍ରଦର୍ଶନୀ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଫ୍ଲାଶ୍ କାର୍ଡ୍ ପ୍ରଦର୍ଶନୀ ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା।
ପୋଷ୍ଟର ପ୍ରଦର୍ଶନୀ ମାଧ୍ୟମରେ ସନ୍ତୁଳିତ ଖାଦ୍ୟ, ଆବଶ୍ୟକୀୟ ପୋଷକତତ୍ତ୍ୱ, ସୁସ୍ଥ ଖାଦ୍ୟାଭ୍ୟାସ, ପୋଷଣ ଅଭାବଜନିତ ସମସ୍ୟାର ପ୍ରତିରୋଧ ଏବଂ ସଠିକ୍ ଖାଦ୍ୟ ଚୟନ ସମ୍ପର୍କରେ ସରଳ ଓ ଆକର୍ଷଣୀୟ ଭାବରେ ସୂଚନା ପ୍ରଦାନ କରାଯାଇଥିଲା।
ସେହିଭଳି ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ, ତନ୍ତୁ ଏବଂ ପାଣି ଭଳି ଆବଶ୍ୟକୀୟ ପୋଷକ ତତ୍ତ୍ୱର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା। ଏହା ସହିତ ଅତ୍ୟଧିକ ଜଙ୍କ୍ ଫୁଡ୍ ଓ ପ୍ରକ୍ରିୟାଜାତ ଖାଦ୍ୟ ପରିହାର କରିବା ସହିତ ସୁସ୍ଥ ଖାଦ୍ୟାଭ୍ୟାସ ଆପଣାଇବା ପାଇଁ ମଧ୍ୟ ସଚେତନ କରାଯାଇଥିଲା।
ଫ୍ଲାଶ୍ କାର୍ଡ୍ ପ୍ରଦର୍ଶନୀ ମାଧ୍ୟମରେ ପୋଷଣ ସମ୍ପର୍କିତ ମୁଖ୍ୟ ବାର୍ତ୍ତା ଗୁଡ଼ିକୁ ସରଳ, ସ୍ପଷ୍ଟ ଏବଂ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମରେ ନର୍ସିଂ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ଜ୍ଞାନ, ସୃଜନଶୀଳତା, ଯୋଗାଯୋଗ ଦକ୍ଷତା ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କୌଶଳ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଫ୍ୟାକଲ୍ଟି କୋ-ଅର୍ଡିନେଟର ସୁନୀତା ମ୍ୟାମ୍ ଏବଂ ମଧୁଚନ୍ଦା ମ୍ୟାମ ଙ୍କ ମାର୍ଗଦର୍ଶନ ଓ ସହଯୋଗରେ ସଫଳତାର ସହ ଆୟୋଜନ କରାଯାଇଥିଲା।
ପୋଷଣ ସପ୍ତାହର ପ୍ରଥମ ଦିନର କାର୍ଯ୍ୟକ୍ରମ ଲୋକ ମାନଙ୍କୁ “ସଠିକ୍ ପୋଷଣ ହେଉଛି ସୁସ୍ଥ ଜୀବନର ମୂଳଦୁଆ” ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲା। ସୁସ୍ଥ ଓ ସନ୍ତୁଳିତ ଖାଦ୍ୟାଭ୍ୟାସ ଆପଣାଇବା ସହିତ ନିଜ ପରିବାର ଓ ସମାଜରେ ପୋଷଣ ସଚେତନତା ବୃଦ୍ଧି କରିବାକୁ ଏହି କାର୍ଯ୍ୟକ୍ରମ ପ୍ରେରଣା ଦେଇଥିଲା।
ସ୍କୁଲ୍ ଅଫ୍ ନର୍ସିଂ, ସିୟୁଟିଏମ ର ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସଚେତନତା, ରୋଗ ପ୍ରତିରୋଧ ଏବଂ ସମାଜର ସାମଗ୍ରିକ କଲ୍ୟାଣ ପାଇଁ ଏକ ପ୍ରଶଂସନୀୟ ପ୍ରୟାସ ଭାବେ ପରିଗଣିତ ହୋଇପାରିଛି।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
—————————————-
