କୁଲାଡ଼ ଗ୍ରାମରେ ଧୁମ୍ଧାମରେ ଚାଲିଛି ମା’ ମହାଲକ୍ଷ୍ମୀଙ୍କ ପୂଜା, ୧୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ଆରାଧନା
ଅନୁଗୋଳ:
ମା’ ମହାଲକ୍ଷ୍ମୀଙ୍କ ଧରାପୃଷ୍ଠକୁ ଆଗମନ ପରେ ଗାଁଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଉଠିଛି ପରିବେଶ। ଏଥିରୁ ବଅଁରପାଳ ବ୍ଲକ୍ର କୁଲାଡ଼ ଗ୍ରାମ ମଧ୍ୟ ବାଦ୍ ପଡ଼ିନାହିଁ। ଗ୍ରାମରେ ମା’ ମହାଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ପୂଜା ଅବସରରେ ବ୍ୟୟବହୁଳ ସାଜସଜ୍ଜା ସହ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।କୁଲାଡ଼ ଗ୍ରାମରେ ୧୦ରୁ ଊର୍ଦ୍ଧ୍ୱ ପୂଜାମଣ୍ଡପରେ ମା’ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଛି। ପ୍ରତ୍ୟେକ ମଣ୍ଡପକୁ ଭିନ୍ନ ଭିନ୍ନ ଶୈଳୀରେ ସଜ୍ଜିତ କରାଯାଇଥିବାରୁ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। କେତେକ ପୂଜାମଣ୍ଡପରେ କମିଟି ସଦସ୍ୟମାନେ ନିଜସ୍ୱ ଉଦ୍ୟମ ଓ ପରିଶ୍ରମରେ ସାଜସଜ୍ଜା କରିଥିବାବେଳେ ଅନ୍ୟ କେତେକ ମଣ୍ଡପରେ ବାହାର କାରିଗରଙ୍କ ଦ୍ୱାରା ସାଜସଜ୍ଜା କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି।ଏହି ଗ୍ରାମର ପୂଜାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ମା’ଙ୍କ ନଅଦିନିଆ ପୂଜା ଅବସରରେ ସମଗ୍ର ଗ୍ରାମରେ ଆମିଷ ଭୋଜନ ନିଷେଧ କରାଯାଇଥାଏ। ଏହି ପରମ୍ପରାକୁ ଗ୍ରାମବାସୀ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି। ନଅଦିନ ଧରି ମା’ଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ ଆୟୋଜନରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ପୂଜାର ଶେଷ ପର୍ଯ୍ୟାୟରେ ଭସାଣି ଉତ୍ସବ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି। ମା’ ମହାଲକ୍ଷ୍ମୀଙ୍କ ଆଗମନକୁ ନେଇ ସମଗ୍ର କୁଲାଡ଼ ଗ୍ରାମରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହେଉଛି।
