October 30, 2026

ଯୌତୁକ ପ୍ରଥା ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ..

IMG-20261030-WA0115
Share

 

-ଆଇନର କଡ଼ା କାର୍ଯ୍ୟକାରିତା ସହ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ

 

 

 

ଅନୁଗୋଳ, ୩୦/୧୦: ସମାଜରୁ ଯୌତୁକ ପ୍ରଥା ଭଳି ଏକ କୁପ୍ରଥାର ମୂଳୋତ୍ପାଟନ କରିବା ଏବଂ ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୌତୁକ ନିଷେଧ ଆଇନର ଦୃଢ଼ କାର୍ଯ୍ୟକାରିତା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲଳିତା ଲାକ୍ରା ରିସୋର୍ସ ପର୍ସନ ଭାବେ ଯୋଗଦେଇ ଯୌତୁକର ଆଇନଗତ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏତଦ୍‌ବ୍ୟତୀତ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ଗୌରବମୟ ପ୍ରଧାନ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସନମ୍ ସ୍ମିତା ସାହୁଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀ, ଜନପ୍ରତିନିଧି, ୱାନ୍ ଷ୍ଟପ୍ ସେଣ୍ଟର,ଶକ୍ତି ସଦନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଶିକ୍ଷିତ, ସଶକ୍ତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେଲେ ଯୌତୁକ ପ୍ରଥାର ନିରୋଧ ସମ୍ଭବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।