October 29, 2026

ମହଦା ରେ ଅର୍ଣ୍ଣବ ତାଣ୍ଡବରେ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

IMG-20261029-WA0087
Share

 

ବରପାଲି – (ସୁଦାମ ଦୀପ)

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମହଦା ଗାଁ ସମ୍ମୁଖ ଜାତୀୟ ରାଜପଥରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ମଧ୍ୟରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଗୋଟିଏ ଟ୍ରକର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିଲା ଓ ଚାଳକ କ୍ୟାବିନ ଭିତରେ ଚାପି ହୋଇ ରହି ଯାଇଥିଲେ। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ସମାଜସେବୀ ବିରୋସନ ସାହୁ ସହ ମହଦା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ବରପାଲି ଥାନା ଆଇଆଇସି ପ୍ରମୋଦ କୁମାର ସାହୁ ସଦଳ ବଳେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଚାପି ହୋଇଥିବା ଚାଳକଙ୍କୁ ଉଦ୍ଧାର କରିଥିଲେ।

ସୌଭାଗ୍ୟବଶତଃ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ବରପାଲି ସରକାରୀ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଛି।”ରଖେ ହରି ମାରେ କିଏ” ପରି ଏତେ ବଡ଼ ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ ବୋଲି ସମାଜସେବୀ ବିରୋସନ ସାହୁ ସୂଚନା ଦେଇଛନ୍ତି। ବର୍ଷା ଯୋଗୁଁ ରାସ୍ତା ପିଚ୍ଛିଳ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।