ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ପ୍ରଶାସନ ସଜାଗ , ବୁଗୁଡ଼ା ବ୍ଲକରେ ୩ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ୧୨୭ ଜଣ ସ୍ଥାନାନ୍ତର
ବୁଗୁଡ଼ା :ତା ୨୮/୧୦/୨୬ : (ହର ପ୍ରସାଦ ପାଢ଼ୀ)ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା କରିବା ପାଇଁ ବୁଗୁଡ଼ା ବ୍ଲକ ପ୍ରଶାସନ ସଜାଗ ରହିଥିବା ଜଣାଯାଇଛି । ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା, ଜରୁରୀକାଳୀନ ସେବା ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ସକ୍ରିୟ ହୋଇଛନ୍ତି । ବିଶେଷକରି ବୁଗୁଡ଼ା ବ୍ଲକର କରସିଙ୍ଗି ଓ କରଚୁଲି ପଞ୍ଚାୟତର କଣ୍ଟାବଣି, ନୂଆଁପଲ୍ଲୀ, ଶୁଳିଆପଲ୍ଲୀ, ସମଲେଇ, ପୋକଶୁଙ୍ଗା,ବେଢାଖାଲ ଆଦି ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ଆବଶ୍ୟକତାକୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ବ ଦେଇଛି । ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା ଏବଂ ଏହାର ସ୍ଥିତି ସମ୍ପର୍କରେ ବିଡ ଦୁତିକୃଷ୍ଣ ପାତ୍ର ଓ ଏବିଡିଓ ଧର୍ମରାଜ ପରିଡା ଅନୁଧ୍ୟାନ କରୁଛନ୍ତି । ବାତ୍ୟା ସମୟରେ ଯେପରି କୌଣସି ଲୋକ ଖାଦ୍ୟ ଓ ଆଶ୍ରୟରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ସହ ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।କରସିଙ୍ଗି ପଞ୍ଚାୟତର ସମଲାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,କରଚୁଲି ପଞ୍ଚାୟତ ଅନ୍ତର୍ଗତ ପଥରବଣି ପ୍ରାଥମିକ ବିଦ୍ୟାଳୟ ଓ ଖୋଳଖାଳି ପ୍ରାଥମିକ ବିଦ୍ୟାଳୟ ଆଦିରେ ତିନୋଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇ ସେହି କେନ୍ଦ୍ରଗୁଡିକୁ ଛୋଟ ପିଲାଙ୍କ ସହିତ ମୋଟ ୧୨୭ ଜଣଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବର୍ଷା ବଢିଲେ ଆହୁରି ଆଶ୍ରୟସ୍ଥଳୀ ଖୋଲିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ବିଡ଼ିଓ ଦୂତିକୃଷ୍ଣପାତ୍ର ମତବ୍ୟକ୍ତ କରିବା ସହ ବର୍ତ୍ତମାନ ବାତ୍ୟାକୁ ନେଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ।
