October 29, 2026

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ..

IMG-20261027-WA0026
Share

 

 

କୋଲନରା :(ସଞ୍ଜୀବ କୁମାର କଣ୍ଡାଗରୀ ) ପଞ୍ଚାୟତ ସମିତି ସଦଭାବନା ଗୃହରେ ଦୁର୍ନୀତି ନିବାରଣ ସଚେତନ ସପ୍ତାହ ପାଳନ ହୋଇଯାଇଛି ।ସମଗ୍ର ଦେଶ ସହ ରାୟଗଡ଼ ଜିଲ୍ଲାରେ ମଧ୍ୟ ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଆରମ୍ଭ ହୋଇଛି। ଆଜି ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ଏହା ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ କରାଯିବ। କେନ୍ଦ୍ରୀୟ ସତର୍କତା ଆୟୋଗ (CVC) ନିର୍ଦ୍ଦେଶ ଅନୁଯାୟୀ ଏହି ସପ୍ତାହ ପାଳନ କରାଯାଉଛି।

ଏହି ଅବସରରେ ଆଜି ସକାଳ ୧୧ଟା ସମୟରେ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟରେ ସାମୂହିକ ସତ୍ୟନିଷ୍ଠା ଶପଥ ପାଠ କରାଯାଇଥିଲା। ମୁଖ୍ୟ କାର୍ଯ୍ୟକ୍ରମ କୋଲନରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରାୟଗଡ଼। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନିଜେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ତାଙ୍କ ସହ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଶ୍ୱମ୍ବର ବେହେରା, ଉପଜିଲ୍ଲାପାଳ ଶୁଶ୍ରୀ ମୃଣାଳିନୀ ରାଠୋଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ କୋଲନରା ବ୍ଲକର ବିଡିଓ, ତହସିଲଦାର ଓ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଶପଥ ପାଠ ମାଧ୍ୟମରେ ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ କର୍ତ୍ତବ୍ୟ ପାଳନରେ ସଚ୍ଚୋଟତା, ସ୍ୱଚ୍ଛତା, ନିଷ୍ଠା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ। କୌଣସି ପରିସ୍ଥିତିରେ ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା, ନିଜେ ଦୁର୍ନୀତିରୁ ଦୂରେଇ ରହିବା ଓ ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ନିବୃତ୍ତ କରିବା ପାଇଁ ପ୍ରତିଜ୍ଞା କରିଥିଲେ।

ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜବାବଦିହିତା ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସତ୍ୟନିଷ୍ଠା ଓ ନୈତିକ ମୂଲ୍ୟବୋଧ ପ୍ରତି ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ସପ୍ତାହ ମଧ୍ୟରେ ବିଭିନ୍ନ ସ୍କୁଲ, କଲେଜ ଓ କାର୍ଯ୍ୟାଳୟରେ ବିତର୍କ, ପ୍ରବନ୍ଧ ପ୍ରତିଯୋଗିତା, ସଚେତନତା ରାଲି ଓ କର୍ମଶାଳା ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।