October 23, 2026

ମା’ଆସିଥିଲେ ହସ ନେଇ, ଚାଲିଗଲେ ଲୁହ ଦେଇ, ପୁଣି ଆର ବରଷକୁ ଅପେକ୍ଷା..

IMG-20261023-WA0013
Share

 

ବୋଲଗଡ଼,୨୩/୧୦ (ସୁଶାନ୍ତ କୁମାର ପ୍ରଧାନ): ସରିଗଲା ଶାରଦୀୟ ଦୁର୍ଗାପୂଜା। ଚାରିଦିନ ତଳେ ଯେଉଁ ବୀର ବାଦ୍ୟ ଶବ୍ଦରେ ବୋଲଗଡ଼ର ଆକାଶ ଫାଟି ପଡୁଥିଲା, ଆଜି ସେଠି ଖାଁ ଖାଁ ନିସ୍ତବ୍ଧତା। ଯେଉଁ ମଣ୍ଡପରେ ମା’ଙ୍କ ମୁହଁରେ ହସ ଫୁଟି ସାରା ଅଞ୍ଚଳକୁ ଆଲୋକିତ କରିଥିଲା, ଆଜି ସେହି ମଣ୍ଡପ ଶୂନ୍ୟ। ଖାଲି କିଛି ଶୁଖିଲା ଫୁଲମାଳ ପଡ଼ିଛି, ଯେମିତି କାହାର ଅଧା ଲେଖା ଚିଠି।

ମା’ ଆସିଥିଲେ ବୋଲି ଗରିବର ଭଙ୍ଗା କୁଡିଆରେ ବି ସେଦିନ ଦୀପ ଜଳିଥିଲା। କାରଣ ମା’ ଆସିଲେ ସବୁ ଦୁଃଖ ଆପେ ଆପେ ଭୁଲି ହୋଇଯାଏ।

ପିଲାଠୁ ବୁଢା ଯାଏ ନୂଆ ଲୁଗା ପିନ୍ଧି ଧାଇଁଥିଲେ। ମଣ୍ଡପେ ମଣ୍ଡପେ ସିନ୍ଦୂର ଖେଳ। ଝିଅମାନେ ପରସ୍ପରକୁ ସିନ୍ଦୂର ଲଗାଇ ହସୁଥିଲେ। କିନ୍ତୁ ଆଜି

ଆଜି ବିସର୍ଜନ। ଢୋଲର ତାଳ ସହ ତାଳ ଦେଇ ପାଦ ନୁହେଁ, ଆଖିରୁ ଲୁହ ବୋହୁଥିଲା। ମା’ଙ୍କୁ ଜଳରେ ଭସାଇବା ବେଳେ ଜଣେ ବୁଢୀ ମା’ ଛାତିରେ ମୁଣ୍ଡ ପିଟି କାନ୍ଦୁଥିଲା “ମା’ ଲୋ, ଏତେ ଶୀଘ୍ର ଚାଲିଗଲୁ ? ପୁଅଟା ବାହାରେ ଅଛି, ତା’ ପାଇଁ ଟିକେ ଆଶୀର୍ବାଦ ଦେଇ ଯା !”

କେହି ଜଣେ ଛୋଟ ଝିଅ ତା’ ମା’କୁ ପଚାରୁଥିଲା “ମା’ ସତରେ ଚାଲିଗଲେ କି ? ଆଉ ଆସିବେନି ?” ତା’ ମା’ କହିପାରୁ ନଥିଲା, ଖାଲି ତାକୁ କୁଣ୍ଢାଇ ଧରି କାନ୍ଦୁଥିଲା। ମା’ ଚାଲିଗଲେ ସତ, ହେଲେ ମା’ କ’ଣ ସତରେ ଯାଆନ୍ତି କି ? ସେ ରହିଯାଆନ୍ତି। ସେହି ସିନ୍ଦୂର ଖେଳର ଲାଲ୍ ଦାଗରେ, ସେହି ଶଙ୍ଖ ଓ ହୁଳହୁଳିର ଶବ୍ଦରେ, ଆଉ ସେହି ଚାରିଦିନର ଏକତାରେ ଯେଉଁଠି ଧନୀ-ଗରିବ, ଛୋଟ-ବଡ଼ ଭେଦ ଭାବ ନଥିଲା, ଆମେ ସମସ୍ତେ ଗୋଟିଏ ପରିବାର ହୋଇ ଯାଇଥିଲୁ। ଆଉ ଏବେ ପୁଣି ଅପେକ୍ଷା। ଏକ ଲମ୍ବା ଅପେକ୍ଷା। ୩୬୫ ଦିନର ଅପେକ୍ଷା। କାଲେଣ୍ଡରର ପ୍ରତି ପୃଷ୍ଠା ଓଲଟାଇ ଓଲଟାଇ ଆମେ ଅପେକ୍ଷା କରିବୁ କେବେ ଶରତ ଆସିବ, କେବେ କାଶତଣ୍ଡୀ ଫୁଟିବ, କେବେ ବୀର ବାଦ୍ୟ ବାଜିବ, ଆଉ ଆମ ମା’ ପୁଣି ଫେରି ଆସିବେ ତାଙ୍କ ପିଲାମାନଙ୍କୁ ଦେଖିବାକୁ। ଆସିଛୁ ପୁଣି ଆସିବୁ ମା’।

You may have missed