ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ‘ଆମ କଳାକାର’ଜରିଆରେ ଗତକାଲି ୨୨.୧O.୨O୨୬ ଠାରୁ ତିନି ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ବିଶିଷ୍ଟ ଅତିଥି ଭାବରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଆମ କଳାକାର ଜିଲ୍ଲା ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ସେଠୀ ଯୋଗ ଦେଇଥିବାବେଳେ, ବିଶିଷ୍ଟ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥି, ଗବେଷକ ଡ଼. ପରମେଶ୍ୱର ମୁଣ୍ଡ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ଡି.ପି.ଓ ରୂପ ସିଂ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଏଥିସହ ଜିଲ୍ଲାର ସମସ୍ତ ବ୍ଲକରୁ ସାଂସ୍କୃତିକ ଦଳ ଓ କଳାକାର ମାନେ ସେଠାରେ ଉପସ୍ଥିତ ହୋଇଥିଲେ। ବିଶିଷ୍ଟ ସଞ୍ଚାଳକ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମଟି ସଞ୍ଚାଳନ କରିଥିବାବେଳେ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ମଞ୍ଚସ୍ଥ ହୋଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଓ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା ଉପରେ ବିଶଦ ଭାବରେ ସୂଚନା ଦେଇ କହିଥିଲେ ଯେ’ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ ପ୍ରେରଣ ପ୍ରଣାଳୀକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ‘ଆମ କଳାକାର ୱେବ ପୋର୍ଟାଲ’ ମାଧ୍ୟମରେ କଳାକାର ତଥା ସାଂସ୍କୃତିକ ଦଳ ଗୁଡିକର ପଞ୍ଜିକରଣ କରାଯାଉଛି ଏବଂ ଏଥିରେ ପଞ୍ଜିକୃତ ହୋଇଥିବା କଳାକାର ମାନେ ଓ ସାଂସ୍କୃତିକ ଦଳ ଗୁଡିକ ‘ଆମ କଳାକାର ୱେବ ପୋର୍ଟାଲ’ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ସିଧାସଳଖ ଭାବରେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ନିଜସ୍ୱ କଳା ପ୍ରଦର୍ଶନ କରିପାରିବେ।ଏଥିପାଇଁ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ମଞ୍ଜୁରୀର କୌଣସି ଆବଶ୍ୟକ ନାହିଁ। ଏଥିସହ ଆହୁରି ମଧ୍ୟ ଜଣାଇଛନ୍ତି ଯେ’ ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ୨୭୧ ଟି ସାଂସ୍କୃତିକ ଦଳ ଓ କଳାକାର ଏହି ୱେବ ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜିକୃତ କରିଥିବାବେଳେ, ଆହୁରି ଅଧିକ କଳାକାର ଓ ସାଂସ୍କୃତିକ ଦଳଙ୍କ ଚୟନ ଓ ପଞ୍ଜିକରଣ ନିମନ୍ତେ ଭବାନୀପାଟଣାରେ ଟାଉନ ହଲ ସମେତ ରେଡ଼କ୍ରସ କଲ୍ୟାଣ ମଣ୍ଡପ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କଳାକାର ଚୟନ ଓ ପଞ୍ଜିକରଣ କାର୍ଯ୍ୟକ୍ରମଟି ଆସନ୍ତାକାଲି ୨୪.୧O.୨O୨୬ ରେ ଶେଷ ହେବ।
