October 24, 2026

ଉମରକୋଟରେ ବିଜୟା ଦଶମୀରେ ଦୁର୍ଗା ପୂଜାର ପୂର୍ଣ୍ଣାହୁତି ଶୁକ୍ରବାର ମେଢ଼ ବିସର୍ଜନ ପାଇଁ ପ୍ରସ୍ତୁତି, ପାର୍ବଣ ଭିଡ଼ର ଉତ୍ସବମୁଖର ସହର……..

IMG-20261022-WA0006
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ସମାପ୍ତ ହୋଇଛି। ସହରର ନଅଟି ପୂଜା ମଣ୍ଡପରେ ବୁଧବାର ଦିନ ଧାର୍ମିକ ରୀତିନୀତି ଅନୁଯାୟୀ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା। କେତେକ ମଣ୍ଡପରେ ନବରାତ୍ରିର ନଅ ଦିନ ଧରି ପୂଜା ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଷଷ୍ଠୀ ପରିବର୍ତ୍ତେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।ବୁଧବାର ଅପରାହ୍ନ ପ୍ରାୟ ୧ଟା ସମୟରେ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ବିଧିବିଧାନ ମଧ୍ୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଆସନ୍ତା ଶୁକ୍ରବାର ମା’ଙ୍କ ବିସର୍ଜନ ଶୋଭାଯାତ୍ରା ପାଇଁ ସହରର ସମସ୍ତ ନଅଟି ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ବିସର୍ଜନ ଶୋଭାଯାତ୍ରା ସମୟରେ ଡିଜେ ସଙ୍ଗୀତ, ବାଣ ଫୁଟାଇବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ ନିୟମ ପାଳନ କରିବାକୁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଦଶମୀ ଦିନ ମା’ଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ସହରର ବିଭିନ୍ନ ସ୍ଥାନ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଥିବାରୁ ପାର୍ବଣର ମାହୋଲ ଅଧିକ ଆକର୍ଷଣୀୟ ହୋଇଥିଲା। ଏହା ସହିତ ବଜାରରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଉତ୍ସବକୁ କେନ୍ଦ୍ର କରି ଛୋଟ ବ୍ୟବସାୟୀମାନଙ୍କ ବେପାର ଭଲ ହୋଇଥିବା ଜଣାପଡ଼ିଛି। ତେବେ ଉତ୍ସବର ଭିଡ଼ ମଧ୍ୟରେ କେତେକ ବାଇକ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଲୋକେ ଅସୁବିଧାରେ ପଡ଼ିଥିବା ଅଭିଯୋଗ ହୋଇଛି। ଦୂରଦୂରାନ୍ତରୁ ଆସିଥିବା ଦର୍ଶକମାନେ ଭିଡ଼ଭରା ରାସ୍ତାରେ ଯାତାୟାତ କରିବା ସମୟରେ ହଇରାଣ ହୋଇଥିଲେ। ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକୁ ନେଇ କେତେକ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆସନ୍ତା ଶୁକ୍ରବାର ମା’ଙ୍କ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସହରବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ବିସର୍ଜନ ଉତ୍ସବ ସମ୍ପନ୍ନ କରିବା ପାଇଁ ଉଚିତ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।