October 17, 2026

କବାଟଦୁଆର ପୀଠରେ ନବରାତ୍ରି ସପ୍ତମୀ ପୂଜା ପ୍ରାଚୀନ ଦେବୀପୀଠରେ ଭକ୍ତିମୟ ପରିବେଶ, ସ୍ଥାୟୀ ମନ୍ଦିର ନିର୍ମାଣ ପାଇଁ ଉଠିଲା ସ୍ୱର

IMG-20261017-WA0043
Share

 

 

ସମ୍ବଲପୁର, ୧୭।୧୦: ଆଧ୍ୟାତ୍ମିକ ଆସ୍ଥା, ପ୍ରାଚୀନ ପରମ୍ପରା ଓ ଜନସମାଜର ଭକ୍ତିଭାବର ଅନନ୍ୟ ସଙ୍ଗମ ପାଲଟିଥିଲା ଯୁଯୁମୁରା ବ୍ଲକ ଘେନୁପାଲି ପଞ୍ଚାୟତର ପ୍ରସିଦ୍ଧ ଦୈବୀପୀଠ କବାଟଦୁଆର। ଶାରଦୀୟ ନବରାତ୍ରି ଅବସରରେ ଶନିବାର ଏଠାରେ ମା’ଙ୍କ ସପ୍ତମୀ ପୂଜା ସହ ନାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା। ଦେବୀଙ୍କ ଆରାଧନା ଓ ନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।

 

ଘେନୁପାଲିରୁ ଝାଙ୍କରପାଲି ଯିବା ରାସ୍ତାରେ ଡୁଡକାକୁଦ, ସାନସାହିର ଓ ସେମେଲଟିକିରା ମଧ୍ୟବର୍ତ୍ତୀ ଟାଙ୍ଗରନଲିଆ ନଦୀକୂଳରେ ଅବସ୍ଥିତ ଏହି ପ୍ରାଚୀନ ଦେବୀପୀଠରେ ମା’ କବାଟଦୁଆର ଦୀର୍ଘକାଳରୁ ପୂଜା ପାଇଆସୁଛନ୍ତି। ବର୍ତ୍ତମାନ ଏକ ସହାଜ ଗଛ ମୂଳରେ ମା’ଙ୍କ ଆରାଧନା କରାଯାଉଥିବାରୁ ଏହି ପବିତ୍ର ପୀଠରେ ଏକ ସ୍ଥାୟୀ ମନ୍ଦିର ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି।

 

ଝାଙ୍କର ବିପିନ ଉଛୁରିଆଙ୍କ ପୌରୋହିତ୍ୟରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ସୁରେନ୍ଦ୍ର ବାଗ ଓ ଅନ୍ନପୂର୍ଣ୍ଣା ବାଗ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପୂଜା ପରେ ଆୟୋଜିତ ସଭାରେ ଦେବୀପୀଠର ଐତିହ୍ୟ, ପ୍ରାଚୀନ ପରମ୍ପରା ଓ ମା’ଙ୍କ ମହିମା ସମ୍ପର୍କରେ ଆଲୋଚନା ହେବା ସହ ପୀଠର ସୁରକ୍ଷା ଓ ବିକାଶ ପାଇଁ ସ୍ଥାୟୀ ମନ୍ଦିର ନିର୍ମାଣ ନିମନ୍ତେ ମତପ୍ରକାଶ ପାଇଥିଲା।

 

ଅଞ୍ଚଳର ସମାଜସେବୀ ତଥା ସାମାଜିକ ସଂଗଠକ ଡା. ରାଜାରାମ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଚତୁର୍ଭୁଜ ଧୂରୁଆ, ଭକ୍ତପ୍ରସାଦ ଭୋଇ, ହରିହର ବଛା, ଗଣେଶ ମିର୍ଦ୍ଧା, ଡିଲେଶ୍ୱର ସାହୁ, କେଶବ ବିଶ୍ୱାଳ, ରାଧାବଲ୍ଲଭ ଦେହୁରୀ, ଗୋକୁଳ ଖମାରୀ, ପ୍ରକାଶ ପ୍ରଧାନ, କୃପାସିନ୍ଧୁ ବିଶି, ସୂର୍ଯ୍ୟ ନାଗ, ଦିଲ୍ଲୀପ ଠେଲା, ରତ୍ନାକର ଦେହୁରୀ, ଦୈତାରୀ କୁମୁରା, କପିଳ ପ୍ରଧାନ ଓ ଅଶ୍ୱିନୀ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସମସ୍ତେ ଏହି ଦେବୀପୀଠର ମହତ୍ତ୍ୱ ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଏହାର ଉନ୍ନତି ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ।

 

ଏହି ଧାର୍ମିକ ଉତ୍ସବରେ ସାନସାହିର, ଡୁଡକାକୁଦ, ସେମେଲଟିକିରା, ପାନୁପଡ଼ା, ପାପାଲି, ଝାଙ୍କରପାଲି ଓ ଘେନୁପାଲି ସମେତ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଶିକ୍ଷକ ଅଶ୍ୱିନୀ କୁମାର ପ୍ରଧାନଙ୍କ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

 

ପ୍ରାକୃତିକ ପରିବେଶର କୋଳରେ ଏକ ବୃକ୍ଷମୂଳରେ ପୂଜା ପାଉଥିବା ମା’ କବାଟଦୁଆରଙ୍କ ଏହି ପୀଠ କେବଳ ଏକ ଧାର୍ମିକ ସ୍ଥଳୀ ନୁହେଁ, ବରଂ ଅଞ୍ଚଳବାସୀଙ୍କ ଆସ୍ଥା, ଐତିହ୍ୟ ଓ ସାମୂହିକ ଏକତାର ପ୍ରତୀକ। ଏଠାରେ ଏକ ସ୍ଥାୟୀ ମନ୍ଦିର ନିର୍ମାଣ ହେଲେ ପ୍ରାଚୀନ ପରମ୍ପରାର ସଂରକ୍ଷଣ ସହ ଆଗାମୀ ପିଢ଼ି ପାଇଁ ଏହି ଦେବୀପୀଠର ମହିମାକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

You may have missed