October 13, 2026

କୋରାପୁଟରେ ୫ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ମାସିକ ସର୍ବନିମ୍ନ ମଜୁରି ୩୦ ହଜାର ଟଙ୍କା ସହ ପେନ୍‌ସନ୍ ବୃଦ୍ଧି ଦାବି

IMG-20261013-WA0033
Share

 

 

କୋରାପୁଟ: ବିଭିନ୍ନ ଦାବି ପୂରଣ ନିମନ୍ତେ ସୋମବାର କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାର ୧୫ଟି ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ପ୍ରକଳ୍ପର କର୍ମୀ ଓ ସହାୟିକାମାନେ ଭାରତୀୟ ମଜଦୁର ସଂଘର ବ୍ୟାନରରେ ଏକଜୁଟ ହୋଇ ନିଜ ଦାବି ଉପସ୍ଥାପନ କରିଥିଲେ।

 

ଏହି ଅବସରରେ କୋରାପୁଟ ଜଗନ୍ନାଥ ମନ୍ଦିରଠାରୁ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଜୁରି ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ଦାବି କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଏହି ଦାବିଗୁଡ଼ିକୁ ବିଚାରକୁ ନେଇ ତୁରନ୍ତ କର୍ମୀ ଓ ସହାୟିକାଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।

 

ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘଦିନ ଧରି ଆର୍ଥିକ ଅନିଶ୍ଚିତତା ଓ ଅପର୍ଯ୍ୟାପ୍ତ ସାମାଜିକ ସୁରକ୍ଷାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ସାମାଜିକ ସୁରକ୍ଷା ସୁଦୃଢ଼ କରିବା ପାଇଁ ଏହି ଆନ୍ଦୋଳନ କରାଯାଇଛି।

 

ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ମାସିକ ସର୍ବନିମ୍ନ ମଜୁରି ୩୦ ହଜାର ଟଙ୍କାକୁ ବୃଦ୍ଧି, କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ର ମଜୁରି ସୀମା ୨୧ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି ଏବଂ କର୍ମଚାରୀ ପେନ୍‌ସନ୍ ଯୋଜନା (ଇପିଏସ୍‌) ଅନ୍ତର୍ଗତ ମାସିକ ପେନ୍‌ସନ୍ ୭,୫୦୦ ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ ଅନ୍ତର୍ଭୁକ୍ତ।

 

ଏହାବ୍ୟତୀତ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଉନ୍ନତ ସାମାଜିକ ସୁରକ୍ଷା ସୁବିଧା, ମାତୃତ୍ୱ ସମ୍ବନ୍ଧୀୟ ଲାଭର ସମ୍ପ୍ରସାରଣ ଏବଂ ସମାନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସମାନ ମଜୁରି ଓ ଚାକିରି ସମ୍ବନ୍ଧୀୟ ସବୁ ସୁଵିଧା କରିବାକୁ ଦାବି ହୋଇଛି।

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁଷ୍ଟି, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ କାର୍ଯ୍ୟକ୍ରମର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତଥାପି ସେମାନଙ୍କୁ ଉପଯୁକ୍ତ ଆର୍ଥିକ ସୁରକ୍ଷା ଓ ସାମାଜିକ ସୁବିଧା ମିଳୁନଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଦାବି ପୂରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed