October 11, 2026

ଦେବ୍ରିଗଡ଼ ଅଭୟାରଣ୍ୟ ବୁଲିଲେ ରାଜ୍ୟପାଳ ଘରୋଇ ପର୍ଯ୍ୟଟନର ପ୍ରସାର ଓ ସ୍ଥାନୀୟ ଜୀବିକାକୁ ଗୁରୁତ୍ୱ

IMG-20261011-WA0003
Share

ଭୁବନେଶ୍ୱର, ୧୧. ୧୦: ଓଡ଼ିଶାର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଶନିବାର ନିଜ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟିଙ୍କ ସହ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ଅଭୟାରଣ୍ୟର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନର ଅପାର ସମ୍ଭାବନା ତାଙ୍କୁ ଆକର୍ଷିତ କରିଥିଲା।

 

ପରିଦର୍ଶନ ସମୟରେ ରାଜ୍ୟପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ବୁଲିବା ସହ ବନ୍ୟପ୍ରାଣୀଙ୍କୁ ଦେଖିଥିଲେ। ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ସୁବିଧାସୁଯୋଗ, ଭିତ୍ତିଭୂମିର ବିକାଶ ଏବଂ ଅଭୟାରଣ୍ୟର ସମୃଦ୍ଧ ଜୈବବିବିଧତା ସୁରକ୍ଷା ପାଇଁ କରାଯାଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

 

ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ବ୍ୟାପ୍ତ ଦେବ୍ରିଗଡ଼ ଅଭୟାରଣ୍ୟ ବିବିଧ ବନ୍ୟପ୍ରାଣୀ, ସବୁଜ ବନାନୀ ଓ ବିଶାଳ ହୀରାକୁଦ ଜଳଭଣ୍ଡାରର ସାନ୍ନିଧ୍ୟ ପାଇଁ ପରିଚିତ। ପଶ୍ଚିମ ଓଡ଼ିଶାର ଏହି ପ୍ରାକୃତିକ ସମ୍ପଦ ରାଜ୍ୟର ପ୍ରମୁଖ ପରିବେଶ ପର୍ଯ୍ୟଟନ କେନ୍ଦ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

 

ପର୍ଯ୍ୟଟନ ସହ ଜଡ଼ିତ କାର୍ଯ୍ୟକଳାପରେ ସ୍ଥାନୀୟ ଲୋକଙ୍କ ଭାଗୀଦାରିକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏଭଳି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ଓ ଜୀବିକାର ସୁଯୋଗ ସୃଷ୍ଟି ହେବା ସହ ବନ୍ୟପ୍ରାଣୀ ଓ ପରିବେଶ ସଂରକ୍ଷଣକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ବୋଲି ସେ ମତ ଦେଇଥିଲେ।

 

ବିଦେଶ ଭ୍ରମଣ ପରିବର୍ତ୍ତେ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ରାଜ୍ୟପାଳ ଲୋକଙ୍କୁ ଉତ୍ସାହିତ କରିଥିଲେ। ଭାରତର ପ୍ରାକୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ପଦର ପ୍ରଚାରପ୍ରସାର ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶରେ ପର୍ଯ୍ୟଟନର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

 

ରାଜ୍ୟପାଳଙ୍କ ଏହି ଗସ୍ତ ପଶ୍ଚିମ ଓଡ଼ିଶାର ପରିବେଶ ପର୍ଯ୍ୟଟନର ସମ୍ଭାବନାକୁ ଆହୁରି ଉଜାଗର କରିଛି। ଦେବ୍ରିଗଡ଼ର ବନ୍ୟପ୍ରାଣୀ, ଘଞ୍ଚ ଜଙ୍ଗଲ ଓ ହୀରାକୁଦ ଜଳଭଣ୍ଡାରର ମନୋରମ ପରିବେଶକୁ ଆଧାର କରି ପରିବେଶ ସୁରକ୍ଷା ସହ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟିର ବ୍ୟାପକ ସୁଯୋଗ ରହିଛି।

 

ସୂଚନାନୁଯାୟୀ, ରାଜ୍ୟପାଳ ଦେବ୍ରିଗଡ଼ ଅଭୟାରଣ୍ୟରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।