ହାଟଡିହି ଓ ସୋସୋ କଲେଜରେ ଛାତ୍ର ସଂସଦ ନିର୍ବାଚନ: ନାମାଙ୍କନ ଦାଖଲ ଶେଷ, ସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ

ହାଟଡିହି ତା ୯/୧୦(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଦୁଇଟି ପ୍ରମୁଖ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ଓ ସୋସୋସ୍ଥିତ ବଉଳା ମହାବିଦ୍ୟାଳୟରେ ଶୁକ୍ରବାର ପ୍ରାର୍ଥୀମାନଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଉଭୟ ମହାବିଦ୍ୟାଳୟରେ ବିଭିନ୍ନ ପଦବି ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ନିର୍ବାଚନୀ ମାହୋଲ ଉଷ୍ମ ହେବାରେ ଲାଗିଛି। ବିଶେଷକରି ସଭାପତି ପଦ ପାଇଁ ହାଟଡିହି ଓ ସୋସୋ ମହାବିଦ୍ୟାଳୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଛାତ୍ର କଂଗ୍ରେସ (ଏନ୍ଏସ୍ୟୁଆଇ) ପକ୍ଷରୁ ବିଭିନ୍ନ ପଦବି ପାଇଁ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା। ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଏକତ୍ରିତ ହୋଇଥିବାବେଳେ ଆଗାମୀ ନିର୍ବାଚନକୁ ନେଇ ଛାତ୍ର ମହଲରେ ଚର୍ଚ୍ଚା ଜୋର ଧରିଛି। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ କ୍ୟାମ୍ପସରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି କଲେଜ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ ଶେଷ ହେବା ପରେ ଅପରାହ୍ନ ୨ଟାରୁ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଥିଲା। ପରେ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ସଭାପତି ପଦ ପାଇଁ ବୈଶାଖୀ ସାହୁ, ସ୍ୱାଧୀନ କୁମାର ସାହୁ ଓ ସତ୍ୟପ୍ରକାଶ ବାରିକ ନାମାଙ୍କନ ଦାଖଲ କରିଛନ୍ତି। ଫଳରେ ଏହି ପଦବି ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ସ୍ପଷ୍ଟ ହୋଇଛି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ରାଜଲକ୍ଷ୍ମୀ ବିଶ୍ୱାଳ, ମନୋଜ ବାରିକ ଓ ପ୍ରଭାତୀ ଦାସ ନାମାଙ୍କନ ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ନିର୍ବାଚନ ପରିଚାଳନା ସମ୍ପର୍କିତ ଲିଙ୍ଗଡୋ କମିଶନଙ୍କ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା ବଜାୟ ରଖିବା ସହ ନିୟମ ଅନୁଯାୟୀ ପ୍ରଚାର କରିବାକୁ ଛାତ୍ର ସଂଗଠନଗୁଡ଼ିକୁ କୁହାଯାଇଛି। ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ କ୍ୟାମ୍ପସରେ ନିର୍ବାଚନୀ ଗତିବିଧି ଆହୁରି ଜୋରଦାର ହେବା ସହ ପ୍ରାର୍ଥୀମାନେ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ସୋସୋସ୍ଥିତ ବଉଳା ଡିଗ୍ରୀ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଏଠାରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ସୌମ୍ୟରଞ୍ଜନ ନାୟକ, ଲକ୍ଷ୍ମୀପ୍ରିୟା ଭୂୟାଁ ଓ ପ୍ରୀତମ କୁମାର ବେହେରା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଏଠାରେ ମଧ୍ୟ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ସ୍ମୃତିରେଖା ରାଉତ ଓ ସୁମନ ବେହେରା ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ହାଟଡିହି ଓ ସୋସୋ ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ ଶେଷ ହେବା ସହ ଛାତ୍ର ସଂସଦ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ପ୍ରାର୍ଥୀମାନଙ୍କ ମଧ୍ୟରେ କିଏ ନିଜ ସପକ୍ଷରେ ଅଧିକ ସମର୍ଥନ ହାସଲ କରିବେ ଏବଂ ଭୋଟର ଛାତ୍ରଛାତ୍ରୀ କାହାକୁ ନିଜର ପ୍ରତିନିଧି ଭାବେ ବାଛିବେ, ତାହାକୁ ନେଇ ଉଭୟ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ର ରାଜନୀତି କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
