October 8, 2026

ଛାତ୍ର ସଂସଦ ନିର୍ବାଚନ ଘୋଷଣା , ସରଗରମ ପିପୁଲ୍ସ କଲେଜ କ୍ଯାମ୍ପସ , କିଏ ଧରିବ ବିଜେଡି ଓ କଂଗ୍ରେସ ଛାତ୍ର ସଂଗଠନର ମଙ୍ଗ ? 

IMG-20261008-WA0124
Share

 

ବୁଗୁଡା :ତା ୦୮/୧୦/୨୬ : (ହର ପ୍ରସାଦ ପାଢି) ଚଳିତ ବର୍ଷ ଛାତ୍ର ସଂସଦନିର୍ବାଚନ ନେଇ ସରକାରୀ ଘୋଷଣା ହେବା ପରେ ଚଳଚଞ୍ଚଳ ହୋଇଉଠିଛି ବୁଗୁଡା ପିପୁଲ୍ସ କଲେଜ କ୍ୟାମ୍ପସ ରାଜନୀତି । କଲେଜର ଛାତ୍ର ନେତା ଓ ସଂଗଠନଗୁଡ଼ିକ ନିଜ ନିଜ ସ୍ତରରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କ୍ୟାମ୍ପସର ଖଟିଠାରୁ ଆରମ୍ଭ କରି କଲେଜ ବାହାରେ ହେଉଥିବା ଆଲୋଚନା ପର୍ଯ୍ୟନ୍ତ ଏବେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ସମୟ ଧରିଛାତ୍ର ରାଜନୀତିରେ ଦେଖାଦେଇଥିବା ନିଷ୍କ୍ରିୟତା ପରେ ନିର୍ବାଚନ ଘୋଷଣା ବିଭିନ୍ନ ଛାତ୍ର ସଂଗଠନକୁ ନୂଆ ଉତ୍ସାହ ଦେଇଛି । ଛାତ୍ର ସଂସଦ ନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ, କେଉଁ ଛାତ୍ର ନେତାଙ୍କର ଗ୍ରହଣୀୟତା ଅଧିକ ଏବଂ କେଉଁ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ଏସବୁକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଯାଇଛି । ବୁଗୁଡାର ଛାତ୍ର ରାଜନୀତିରେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ପିପୁଲ୍ସ କଲେଜ କ୍ୟାମ୍ପସରେ ନିର୍ବାଚନ ଘୋଷଣା ପରେ ଚର୍ଚ୍ଚା ଜୋର ଧରିଛି । ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଛାତ୍ର ମହଲରେ ଆଲୋଚନା ଚାଲିଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ମଧ୍ଯ ନିଜ ନିଜ ସମୀକରଣ ଉପରେ ନଜର ରଖିଛନ୍ତି ।ଏଥି ସହ କେବଳ ରାଜନୈତିକ ପରିଚୟ ନୁହେଁ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ରହଣୀୟତା ମଧ୍ୟ ପ୍ରାର୍ଥୀଙ୍କ ପାଇଁବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ସବୁ ଛାତ୍ର ସଂଗଠନ ଛାତ୍ରଛାତ୍ରୀଙ୍କ ସମର୍ଥନ ହାତେଇବାକୁ ଜୋରଦାର ଉଦ୍ୟମ କରିବା ଏକ ପ୍ରକାର ଥୟ ବୋଲି ଜଣାଯାଇଛି। ଏଣୁକରି, ଛାତ୍ରନେତାମାନେ ନିଜ ନିଜର ସମର୍ଥକଙ୍କ ସହ ଆଲୋଚନା କରିବା ସହ କ୍ୟାମ୍ପସର ପରିସ୍ଥିତିକୁ ଆକଳନ କରୁଛନ୍ତି । କେଉଁ ବିଷୟକୁ ନିର୍ବାଚନୀ ପ୍ରସଙ୍ଗ କରାଯିବ ଏବଂ କେଉଁ ଛାତ୍ରଛାତ୍ରୀଙ୍କୁ ନିଜ ସପକ୍ଷରେ ଆଣିହେବ ସେନେଇ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପିପୁଲ୍ସ କଲେଜ କ୍ଯାମ୍ପସରେ ଛାତ୍ରୀଙ୍କ ସୁରକ୍ଷା, ଛାତ୍ରଙ୍କ କମନ ରୁମ୍ ସମସ୍ୟା, ପାଠପଢା ଓ ଶିକ୍ଷାର ମାନ ବୃଦ୍ଧି ,

କ୍ଯାଣ୍ଟିନ୍ ବ୍ଯବସ୍ଥା ଓ ସାଇକେଲ ଷ୍ଟାଣ୍ଡ ନିର୍ମାଣ ଆଦି ସାଙ୍ଗକୁ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଭଳି ପ୍ରସଙ୍ଗ ନିର୍ବାଚନୀ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ଛାତ୍ର ନେତାମାନେ ସମର୍ଥକଙ୍କ ସହ ଆଲୋଚନା କରିବା ସାଙ୍ଗକୁ କ୍ୟାମ୍ପସରେ ନିଜ ସ୍ଥିତି ମଜଭୁତ କରିବାରେ ଲାଗିଛନ୍ତି। କେଉଁ ସଂଗଠନ କେଉଁ ପ୍ୟାନେଲକୁ ସମର୍ଥନ କରିବଏବଂ କେଉଁ ଚେହେରା ନିର୍ବାଚନ ମଇଦାନକୁ ଓହ୍ଲାଇବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ନିର୍ବାଚନ ଘୋଷଣା ହେବାପରେ ଛାତ୍ର କଂଗ୍ରେସ, ବିଜୁ ଛାତ୍ର ଜନତା ଦଳ ଏବଂ ଏବିଭିପି ଭଳି ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇଉଠିଛନ୍ତି । ସଂଗଠନଗୁଡ଼ିକ ପକ୍ଷରୁ ସମ୍ଭବ୍ୟ ପ୍ରାର୍ଥୀ ଚୟନ ,କ୍ୟାମ୍ପସ ଭିତ୍ତିକ ସମୀକରଣ , ସମର୍ଥକଙ୍କୁ ଏକାଠି କରିବା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଚତୁରତାର ସହ ନିର୍ବାଚନୀ ପ୍ରସଙ୍ଗ କରିବା ନେଇ ଆଲୋଚନା ଆରମ୍ଭ ହୋଇଛି । ଛାତ୍ରନେତାମାନଙ୍କ ପାଇଁ ଏଥର ନିର୍ବାଚନ ନିଜ ସଂଗଠନର ଶକ୍ତିପ୍ରଦର୍ଶନର ଏକ ବଡ଼ ସୁଯୋଗ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ଗ୍ରହଣୀୟତା ପ୍ରମାଣ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ। ନିର୍ବାଚନ ଯେତେ ପାଖେଇ ଆସିବ , କ୍ୟାମ୍ପସରେ ସେତେ ପ୍ରଚାର ,ସମର୍ଥନ ଯୋଗାଡ଼ ଓ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ ବଢ଼ିବାର ସମ୍ଭାବନା ରହିଛି । ତେଣୁ, ଏଥରର ଛାତ୍ର ସଂସଦ ନିର୍ବାଚନ ବୁଗୁଡାର କ୍ୟାମ୍ପସ ରାଜନୀତି ପାଇଁ ଏକ ନୂଆ ମୋଡ଼ ଆଣିବ ବୋଲି ଚର୍ଚ୍ଚା ହେଉଛି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ ପ୍ରସଙ୍ଗ ହେଉଛି ଯେ ବୁଗୁଡା ଅଞ୍ଚଳର ରାଜନୀତି ଏବେ ଟିକେ ଗୋଳିଆ ଅବସ୍ଥାରେ ରହିଛି । ବହୁ ଟାଣୁଆ ନେତା ଇତିମଧ୍ୟରେ ଦଳବଦଳ କରିଛନ୍ତି । ତଳଦିନେ ବିଜେଡିର ଅନେକ ତୁଙ୍ଗ ନେତା ଦଳ ଛାଡିଛନ୍ତି । ବୁଗୁଡା ଅଞ୍ଚଳର ହାତ ଗଣତି କେତୋଟି ଟାଣୁଆ ଛାତ୍ର ସଂଗଠକଙ୍କୁ ବାଦଦେଲେ ଅଧିକାଂଶ ବିଜେପିରେ ମିଶିଛନ୍ତି । ଫଳରେ ପୂର୍ବର ସବୁଠାରୁ ଟାଣୁଆ ଛାତ୍ର ସଂଗଠନ କୁହାଯାଉଥିବା ବିଜୁ ଛାତ୍ର ଜନତା କାହା ଭରସାରେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ଯପକ୍ଷରେ ଛାତ୍ର କଂଗ୍ରେସର ଅବସ୍ଥା ମଧ୍ୟ ସେଭଳି ସବଳ ବୋଲି ମନେ ହେଉନାହିଁ । କାରଣ କଂଗ୍ରେସର କେତେକ ସୁବିଧାବାଦୀ ନେତା ପ୍ରଥମେ ବିଜେଡି ଏବଂ ଏବେ ବିଜେପିରେ ମିଶିଛନ୍ତି। ଏ ଦୃଷ୍ଟିରୁ ବିଚାର କଲେ ବର୍ଷ ଆରମ୍ଭରୁ କଲେଜ କ୍ଯାମ୍ପସରେ ପୂର୍ବରୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ କରିଥିବା ବିଜେପିର ଛାତ୍ର ସଂଗଠନ ଏବିଭିପି ଏକ ପ୍ରକାର ସୁବିଧାଜନକ ସ୍ଥିତିରେ ରହିଥିବା ମନେ ହେଉଥିବା ବେଳେ ଏଥର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଏବଂ କଂଗ୍ରେସ ଛାତ୍ର ଦଳର ମଙ୍ଗ କିଏ ଧରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏବେକାର ବ୍ୟୟବହୁଳ ଛାତ୍ର ସଂସଦ ନିର୍ବାଚନକୁ ସାମ୍ନା କରିବା ଏକ କଷ୍ଟକର ବ୍ୟାପାର ଭଳି ଅନୁଭୂତ ହେଉଥିବା ବେଳେ ବ୍ୟକ୍ତିଗତ ପ୍ରଭାବ ଏଥର ନିର୍ବାଚନରେ ବେଶ୍ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି।