October 8, 2026

ଘରକୁ ଲାଗି ଅଧାଭଙ୍ଗା ବିଦ୍ୟୁତ୍ ଖୁଣ୍ଟ, ପୁଣି ଷ୍ଟେ ତାରରେ ବିଦ୍ୟୁତ୍ ପ୍ରବାହ!

IMG-20261008-WA0075
Share

 

 

ବାରମ୍ବାର ଅଭିଯୋଗ ପରେ ବି ହେଉନି ସ୍ଥାନାନ୍ତର , ଭୟ ଓ ଆତଙ୍କିତ ଅବସ୍ଥାରେ ମନୋଜ ରଣାଙ୍କ ପରିବାର

 

ବାହାନଗା, ବାଲେଶ୍ବର

( ଦେବାଶିଷ ଦାଶ )

 

 

ଘରକୁ ଲାଗି ରହିଛି ଅଧାଭଙ୍ଗା ଓ ଦୁର୍ବଳ ବିଦ୍ୟୁତ୍ ଖୁଣ୍ଟ। ଖୁଣ୍ଟର ଷ୍ଟେ ତାରରେ ବିଦ୍ୟୁତ୍ ପ୍ରବାହ ଥିବା ଅଭିଯୋଗ। ମୁଣ୍ଡ ଉପରେ ବିପଦ ଝୁଲୁଥିବା ସତ୍ତ୍ୱେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖୁଣ୍ଟ ସ୍ଥାନାନ୍ତର ହେଉନଥିବାରୁ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି ଏକ ପରିବାର। ଏଭଳି ସାଂଘାତିକ ସ୍ଥିତି ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ପାଇକସ୍ତା ଗ୍ରାମର ମନୋଜ ରଣାଙ୍କ ଘର ନିକଟରେ ଦେଖିବାକୁ ମିଳିଛି। ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘଦିନ ଧରି ଏହି ଖୁଣ୍ଟ ଜରିଆରେ ଅନ୍ୟ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ହୋଇଆସୁଛି। ଏବେ ଖୁଣ୍ଟଟି ଅଧାଭଙ୍ଗା ହୋଇ ଘର ଆଡ଼କୁ ବିପଦ ସୃଷ୍ଟି କରୁଛି। ଯଦି ଖୁଣ୍ଟଟି ଭାଙ୍ଗି ଘର ଉପରେ ପଡ଼ିଲା, ତେବେ ଦାୟୀ କିଏ?

ଯଦି ଷ୍ଟେ ତାରରେ ବିଦ୍ୟୁତ୍ ପ୍ରବାହ ଥିବା ଅଭିଯୋଗ ସତ, ତେବେ ଏହି ତାର ଓ ଖୁଣ୍ଟକୁ ନିରାପଦ କରିବାର ଦାୟିତ୍ୱ କାହାର? ବଡ଼ ଅଘଟଣ ଘଟିବା ପରେ କାର୍ଯ୍ୟାନୁଷ୍ଠାନ ହେବ ନା ପୂର୍ବରୁ ପଦକ୍ଷେପ ନିଆଯିବ—ଏହା ଏବେ ବଡ଼ ପ୍ରଶ୍ନ।

ପରିବାର ପକ୍ଷରୁ ଖୁଣ୍ଟଟିକୁ ଘରଠାରୁ ଦୂରକୁ ସ୍ଥାନାନ୍ତର ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି। କିନ୍ତୁ ସମାଧାନ ବଦଳରେ ଏବେ ଖର୍ଚ୍ଚର ପ୍ରସଙ୍ଗ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୫, ୨୦୨୬ରେ TPNODL ବାହାନଗା Electrical Sub-Division ପକ୍ଷରୁ ପରିବାରକୁ ଦିଆଯାଇଥିବା ଚିଠିରେ ୬ ପ୍ରତିଶତ Supervision/Deposit Scheme ଅଧୀନରେ ଉପଭୋକ୍ତାଙ୍କ ଖର୍ଚ୍ଚରେ ଖୁଣ୍ଟ ସ୍ଥାନାନ୍ତର କରାଯିବ ବୋଲି ଦର୍ଶାଯାଇଛି। ଏଥିପାଇଁ ଆବଶ୍ୟକ ଦସ୍ତାବିଜ, ଲାଇସେନ୍ସପ୍ରାପ୍ତ କଣ୍ଟ୍ରାକ୍ଟରଙ୍କ ଦସ୍ତାବିଜ ଓ ନୂଆ ଖୁଣ୍ଟ ବସିବା ସ୍ଥାନର NOC ଦେବାକୁ କୁହାଯାଇଛି। ଏଠି ହିଁ ଉଠୁଛି ଗମ୍ଭୀର ପ୍ରଶ୍ନ—ବିଦ୍ୟୁତ୍ ବିଭାଗର ଲାଇନ୍‌ରେ ଥିବା ଖୁଣ୍ଟ ଯଦି ଆଜି ଘର ପାଇଁ ବିପଦ ସୃଷ୍ଟି କରୁଛି, ତେବେ ସୁରକ୍ଷା ବ୍ୟବସ୍ଥା କରିବାର ଦାୟିତ୍ୱ କେବଳ ଘର ମାଲିକଙ୍କର କାହିଁକି?

ପରିବାରର ଅଭିଯୋଗ, ବାରମ୍ବାର ଜଣାଇବା ସତ୍ତ୍ୱେ ବିପଦସଙ୍କୁଳ ଖୁଣ୍ଟକୁ ତୁରନ୍ତ ହଟାଇବା ପରିବର୍ତ୍ତେ ଟଙ୍କା ଜମା କରିବାକୁ କୁହାଯାଉଛି। ଏହାକୁ ନେଇ ପରିବାର ପକ୍ଷରୁ TPNODL ବିରୋଧରେ ‘ଦବଙ୍ଗଗିରି’ ଅଭିଯୋଗ ମଧ୍ୟ ଉଠାଯାଇଛି।‌ ନିୟମ ଓ ଖର୍ଚ୍ଚର ଆଳ ଦେଖାଇ ବିପଦକୁ ଅଣଦେଖା କରାଯିବ କି? ନା ଅଘଟଣ ପୂର୍ବରୁ ନିଆଯିବ ସୁରକ୍ଷାମୂଳକ ପଦକ୍ଷେପ?

ଖୁଣ୍ଟ ଭାଙ୍ଗି ଜୀବନ ଓ ସମ୍ପତ୍ତିର କ୍ଷତି ହେବା ପୂର୍ବରୁ ବିଭାଗ ଘଟଣାସ୍ଥଳ ଯାଞ୍ଚ କରି ତୁରନ୍ତ ସୁରକ୍ଷିତ ବ୍ୟବସ୍ଥା କରିବ କି, ନା ଟଙ୍କା ଜମା ହେବା ପର୍ଯ୍ୟନ୍ତ ପରିବାରକୁ ଏହି ବିପଦ ମଧ୍ୟରେ ରହିବାକୁ ପଡ଼ିବ—ଏବେ ତାହା ଉପରେ ନଜର।