October 7, 2026

ଦରଖାସ୍ତ ଦେବାକୁ ଆସିଥିଲେ ଅଙ୍ଗନଓ୍ବାଡି କର୍ମୀବୃନ୍ଦ , ଦେଖା ଦେଲେନି ସିଡିପିଓ , ପଦାରେ ପଡିଲା ସମନ୍ଵୟର ଅଭାବ ଘଟଣା 

IMG-20261006-WA0132
Share

 

 

ବୁଗୁଡ଼ା :ତା ୦୬/୧୦/୨୬ 🙁 ହର ପ୍ରସାଦ ପାଢି) ଆସନ୍ତା ୧୨ ତାରିଖ ଦିନ ଅଲ୍ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ ପକ୍ଷରୁ ଦଶ ଦଫା ଦାବି ପୂରଣ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବାବେଳେ ସେହି ଦିନ ବୁଗୁଡା ବ୍ଲକର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବା ନେଇ ଏକ ଲିଖିତ ଦରଖାସ୍ତ ସିଡିପିଓଙ୍କୁ ଦେବାକୁ ଆସିଥିଲେ। ଏଥି ସହ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ଶିଶୁଙ୍କ ସମସ୍ଯା ସମ୍ପର୍କରେ ସିଡିପିଓଙ୍କ ସହ ଆଲୋଚନା କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥି ନିମନ୍ତେ ବୁଗୁଡା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସଂଘ ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନଙ୍କ ନେତୃତ୍ୱରେ ଅଙ୍ଗନଓ୍ବାଡି କର୍ମୀଗଣ ଅପରାହ୍ନରେ ଆଇସିଡିଏସ କାର୍ଯ୍ୟାଳୟରେ ପହଞ୍ଚିଲା ବେଳକୁ ସିଡିପିଓ କାର୍ଯାଳୟ ଛାଡି ଚାଲିଯାଇଥିଲେ। ଅଙ୍ଗନଓ୍ବାଡି କର୍ମୀମାନେ ସିଡିପିଓଙ୍କ ଫେରିବା ବାଟକୁ ଅପେକ୍ଷା କରି ଅଫିସ୍ ବାରଣ୍ଡାରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଲେ। ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବା ପରେ ଦରଖାସ୍ତଟିକୁ କାର୍ଯ୍ୟାଳୟ କିରାଣୀଙ୍କୁ ଦେଇଦେବା ନେଇ ସିଡିପିଓଙ୍କଠାରୁ ନିର୍ଦ୍ଦେଶ ମିଳିଲା। ବିଭାଗୀୟ ଅଧିକାରିଣୀଙ୍କ ନିର୍ଦ୍ଦେଶକୁ ଅବମାନନା ନକରି ଅଙ୍ଗନଓ୍ବାଡି କର୍ମୀମାନେ କିରାଣୀକୁ ଦରଖାସ୍ତଟିକୁ ଦେଇ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ସହ ଆଲୋଚନା କରିନପାରି ଅସନ୍ତୋଷ ଓ ନିରାଶ ମନରେ ଫେରିଥିଲେ। ତେବେ ବୁଗୁଡା ବ୍ଲକରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଅଙ୍ଗନଓ୍ବାଡି କର୍ମୀବୃନ୍ଦଙ୍କ ମଧ୍ୟରେ ସମନ୍ବୟର ଅଭାବ ଅଞ୍ଚଳର ଶିଶୁଙ୍କ ବିକାଶରେ ଅନ୍ତରାୟର ସମ୍ଭାବନା ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ଜଣାଯାଇଛି।