October 1, 2026

ଗାନ୍ଧୀ ଜୟନ୍ତୀରେ ଶିଶୁ ଅଧିକାର ପାଇଁ ଶପଥ

IMG-20260930-WA0055
Share

 

 

ବାଲ୍ୟବିବାହ ଓ ଶିଶୁ ଶ୍ରମମୁକ୍ତ ପଞ୍ଚାୟତ ଗଠନ ପାଇଁ ପ୍ରତି ପଞ୍ଚାୟତରେ ହେବ ଶପଥ ପାଠ

 

ସମ୍ବଲପୁର, ୨୯.୦୯: ଶିଶୁଙ୍କ ଅଧିକାର, ସୁରକ୍ଷା, ଶିକ୍ଷା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଦିଗରେ ସମ୍ବଲପୁର ଜିଲ୍ଲାରେ ଏକ ନୂଆ ସାମାଜିକ ସଂକଳ୍ପ ନିଆଯାଇଛି। ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ବାଲ୍ୟବିବାହ ଓ ଶିଶୁ ଶ୍ରମ ବିରୋଧରେ ସାମୂହିକ ଶପଥ ପାଠ କରାଯିବ। ଏଥିସହ ଶିଶୁ ଚାଲାଣ, ନିର୍ଯାତନା, ଶୋଷଣ ଓ ଅନଲାଇନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସାମୂହିକ ପ୍ରତିବଦ୍ଧତା ପ୍ରକାଶ କରାଯିବ।

 

ଏହି ଉଦ୍ଦେଶ୍ୟରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପରିଷଦ ସଭାଗୃହରେ ଆଦର୍ଶ ଓ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସିଡିଓ ପ୍ରସନ୍ନ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଆଦର୍ଶର ସମ୍ପାଦକ ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ଶିଶୁ ଅଧିକାରକୁ ପଞ୍ଚାୟତସ୍ତରୀୟ ବିକାଶର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ସୁନିଶ୍ଚିତ ହେଲେ ହିଁ ଏକ ସୁସ୍ଥ ଓ ସମାନତାଭିତ୍ତିକ ସମାଜ ଗଠନ ସମ୍ଭବ ବୋଲି ଅତିଥିମାନେ ମତ ରଖିଥିଲେ।

ସଭାରେ ଆଗାମୀ ଗାନ୍ଧୀ ଜୟନ୍ତୀରେ ପ୍ରତି ପଞ୍ଚାୟତରେ ନିମ୍ନଲିଖିତ ଶପଥ ପାଠ କରାଇବା ଉପରେ ସହମତି ପ୍ରକାଶ ପାଇଥିଲା।ଆମ ପଞ୍ଚାୟତରେ କୌଣସି ବାଲ୍ୟବିବାହ ହେବାକୁ ଦେବୁନାହିଁ। ଝିଅଙ୍କ ପାଇଁ ୧୮ ବର୍ଷ ଓ ପୁଅଙ୍କ ପାଇଁ ୨୧ ବର୍ଷ ପୂର୍ବରୁ ବିବାହ କରାଯିବ ନାହିଁ। ଆମ ପଞ୍ଚାୟତରେ କୌଣସି ଶିଶୁଙ୍କୁ ଶିଶୁ ଶ୍ରମିକ ଭାବେ ନିଯୁକ୍ତ କରିବୁନାହିଁ।ପଞ୍ଚାୟତର ପ୍ରତ୍ୟେକ ଶିଶୁ ନିୟମିତ ବିଦ୍ୟାଳୟ ଯିବେ। କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କିମ୍ବା ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେବେ ନାହିଁ, ସେଥିପାଇଁ ଆମେ ଦାୟିତ୍ୱ ନେବୁ।ଆମ ପଞ୍ଚାୟତରେ ଶିଶୁ ଚାଲାଣ, ଶିଶୁ ନିର୍ଯାତନା ଓ ଶୋଷଣକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦେବୁନାହିଁ।

ଶିଶୁମାନଙ୍କୁ ସାଇବର ଅପରାଧ, ଅନଲାଇନ ଶୋଷଣ, ପ୍ରତାରଣା ଓ ଅସୁରକ୍ଷିତ ଡିଜିଟାଲ ପରିବେଶରୁ ସୁରକ୍ଷିତ ରଖିବା ପାଇଁ ସଚେତନତା ଓ ପ୍ରତିରୋଧମୂଳକ ପଦକ୍ଷେପ ନେବୁ।

 

ଏହି ଅବସରରେ ସିଡିଓ ଶ୍ରୀ ପାତ୍ରଙ୍କ ସମେତ ଏଡ୍ ଏଟ୍ ଆକ୍ସନର ସୁନିତା ତ୍ରିପାଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ, ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସଞ୍ଜୟ ମହାପାତ୍ର, ଜିଲ୍ଲା ପରିଷଦ ପିଏମ୍ ବିକାଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ସେମାନେ ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସ୍ୱାଧୀନତା ଓ ଅଧିକାର ସୁରକ୍ଷା ପାଇଁ ସମସ୍ତଙ୍କ ସାମୂହିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।ସଭାରେ ଜିଲ୍ଲାର ସରପଞ୍ଚ ସୁଷମା ସାହୁ, ମମତା ପ୍ରଧାନ, ସରସ୍ୱତୀ ଭୁସାଗର, ଗୀତାଞ୍ଜଳି ଦେହୁରୀ, ସଞ୍ଜୀବ ପୁଝାରୀ, କନକ ସାହୁ, ସରିତା ନାଥ, ଖୁଲଣା ବେହେରା, ରିତାଞ୍ଜଳି ନାଏକ, ଆଭାର ବ୍ଲକ ସଂଯୋଜକ ମିନତୀ ନାଗ, ସିଡବ୍ଲ୍ୟୁସି ସଦସ୍ୟ ଜ୍ୟୋତି ଶତପଥୀ, ଦିଲ୍ଲୀପ ମୁଖୀ, ଡିସିପିଓ ୟୁନିଟର ବିଶ୍ୱଜିତ ସାହୁ, ସିଆରପି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ପରିଷଦର ସଦସ୍ୟମାନେ ଯୋଗଦେଇ ଶିଶୁ ଅଧିକାର ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ଏକ ପୋଷ୍ଟରକୁ ଅତିଥି ଓ ସରପଞ୍ଚ ମାନେ ଲୋକାର୍ପଣ କରିଥିଲେ।

 

ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସର୍ବୋଦୟର ଆଦର୍ଶକୁ ଆଧାର କରି ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ଓ ଅଧିକାରଭିତ୍ତିକ ପରିବେଶ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ପଞ୍ଚାୟତସ୍ତରରେ ନିଆଯିବାକୁ ଥିବା ଏହି ସାମୂହିକ ଶପଥ କେବଳ ଏକ ଔପଚାରିକତା ନ ହୋଇ ଶିଶୁଙ୍କ ଅଧିକାର ସୁରକ୍ଷାରେ ଜନସାଧାରଣଙ୍କ ସକ୍ରିୟ ଭୂମିକାର ଏକ ସାମାଜିକ ସଂକଳ୍ପରେ ପରିଣତ ହେବା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା।ସଭା ଶେଷରେ ଡା. ରାଜାରାମ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।