October 1, 2026

ସାଙ୍କେତିକ ଭାଷାର ସ୍ୱୀକୃତି ଓ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱ

IMG-20260930-WA0054
Share

 

 

ସମ୍ବଲପୁରରେ ୬୯ତମ ଅନ୍ତର୍ଜାତୀୟ ବଧିର ସପ୍ତାହ ଓ ସାଙ୍କେତିକ ଭାଷା ଦିବସ ପାଳିତ

 

ସମ୍ବଲପୁର, ୩୦/୦୯: ସମ୍ବଲପୁର ଜିଲ୍ଲା ବଧିର ସଂଘ ପକ୍ଷରୁ ବୁଧବାର ତପସ୍ୱିନୀ ପ୍ରେକ୍ଷାଳୟଠାରେ ୬୯ତମ ଅନ୍ତର୍ଜାତୀୟ ବଧିର ସପ୍ତାହ ତଥା ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଧିର ବ୍ୟକ୍ତିମାନଙ୍କ ଅଧିକାର, ସ୍ୱାବଲମ୍ବନ ଓ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସମାବେଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।

 

ସଂଘର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୌର ଚନ୍ଦ୍ର ପାଣି ଓ ଶ୍ରୀ ରଜନୀକାନ୍ତ ବହିଦାର ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

 

ଏହି ଅବସରରେ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା, ସମ୍ପାଦକ ପ୍ରବୀର ମହାନ୍ତି, ଉପସଭାପତି ଜୟନାରାୟଣ ଧର, ସହସମ୍ପାଦକ ଅତୀଶ ନାୟକ ଏବଂ ଓଡ଼ିଶା ବଧିର ସଂଘର ରାଜ୍ୟ ପ୍ରଭାରୀ ପ୍ରମୁଖ ମଞ୍ଚାସୀନ ଥିଲେ।

 

ସଭାରେ ଅଧ୍ୟକ୍ଷ ଶ୍ରୀ ବାବୁ ବଧିର ସଂଘ ତଥା ଏହାର ସଦସ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ ଯୋଗାଇଦେବା ଏବଂ ସଂଘ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ। ଏଥିସହ ଆଗାମୀ ଦିନରେ ସଂଘର ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ତଥ୍ୟ ଓ ବିବରଣୀ ସଂରକ୍ଷଣ କରିବାକୁ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଆବଶ୍ୟକ ସମୟରେ ସଦସ୍ୟମାନଙ୍କୁ ସରକାରୀ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବା ସହଜ ହେବ ବୋଲି ସେ କହିଥିଲେ।

 

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୌର ଚନ୍ଦ୍ର ପାଣି ତାଙ୍କ ଅଭିଭାଷଣରେ ବଧିର ବ୍ୟକ୍ତିମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପଲବ୍ଧ ବିଭିନ୍ନ ସୁବିଧା ଓ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଯୋଗ୍ୟ ହିତାଧିକାରୀମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ୬ ବର୍ଷରୁ କମ୍ ବୟସର ମାତ୍ର ୪ ଜଣ ବଧିର ଶିଶୁ ଥିବା ସୂଚନା ଦେଇ ଏହାକୁ ଏକ ଶୁଭ ସଙ୍କେତ ବୋଲି ଉଲ୍ଲେଖ କରିଥିଲେ।

 

ସଂଘର ସମ୍ପାଦକ ଶ୍ରୀ ପ୍ରବୀର ମହାନ୍ତି ବଧିର ବ୍ୟକ୍ତିମାନଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷା ବିଶେଷଜ୍ଞଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଚିକିତ୍ସାଳୟ, ଥାନା, ନ୍ୟାୟାଳୟ ସମେତ ବିଭିନ୍ନ ସରକାରୀ ଓ ସାର୍ବଜନୀନ ସ୍ଥାନରେ ସାଙ୍କେତିକ ଭାଷା ବୁଝିପାରୁଥିବା ବ୍ୟକ୍ତି ବା ବିଶେଷଜ୍ଞଙ୍କ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସେ କହିଥିଲେ।

 

ପରିଶେଷରେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସ୍ୱେଚ୍ଛାସେବୀ ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସମାଜରେ ବଧିର ବ୍ୟକ୍ତିମାନଙ୍କ ପାଇଁ ସମାନ ସୁଯୋଗ, ସମ୍ମାନ ଓ ସୁବିଧା ସୁନିଶ୍ଚିତ କରିବାର ଆହ୍ୱାନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।