ବଜ୍ରାଘାତରେ ଜଳିଗଲା ୪ ନଡିଆ ଗଛ
ବଜ୍ରାଘାତରେ ଜଳିଗଲା ୪ ନଡିଆ ଗଛ
ବୁଗୁଡ଼ା : ତା ୧୯/୦୬/୨୩ : ପ୍ରବଳ ଝଡବର୍ଷା ସାଙ୍ଗକୁ ଘନ ଘନ ବଜ୍ରାଘାତରେ ୪ଟି ନଡିଆ ଗଛ ଏକାବେଳକେ ଜଳି ଉଠିବା ଭଳି ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଏଭଳି ଘଟଣା ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମର ତଳସାହିରେ ଘଟିଛି । ପ୍ରକାଶ ଯେ , ରବିବାର ମଧ୍ଯରାତ୍ରରେ ଆରମ୍ଭ ହେଲା ଝଡବର୍ଷା । ଝଡ ତୋଫାନ୍ ଯୋଗୁଁ ବିଦ୍ୟୁତ୍ ବ୍ଯବସ୍ଥା ଠପ୍ ହୋଇ ଛାଇଗଲା ଅନ୍ଧକାର । ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଚମକ ଓ ଘନ ଘନ ଘଡଘଡି ନାଦ ଭୟ ସଞ୍ଚାର କଲା । ବଜ୍ରପାତରେ ପ୍ରଥମେ ଗୋଟିଏ ନଡିଆ ଗଛ ଏବଂ ପରେ ଆଉ ତିନୋଟି ଏଭଳି ଭାବରେ ଚାରୋଟି ନଡିଆ ଗଛ ହୁତହୁତ୍ ହୋଇ ଜଳିବାକୁ ଲାଗିଲା । ଲୋକେ ଘର ବାହାରକୁ ନ ବାହାରିପାରି କୌଣସି ବଡ ଧରଣର ଅଘଟଣ ଘଟିଥିବ ବୋଲି ପ୍ରମାଦ ଗଣିଲେ । ତେବେ ସକାଳେ ଦେଖାଗଲା ଯେ ସେଠାରେ ଚାରୋଟି ନଡିଆ ଗଛ ପୋଡିଯାଇଥିବା ବ୍ଯତୀତ ଅନ୍ୟ କୌଣସି କ୍ଷତିକାରକ ଘଟଣା ଘଟିନଥିଲା । ଅନ୍ୟପକ୍ଷରେ ସେହି ଝଡବର୍ଷାର ତାଣ୍ଡବଲୀଳାରେ ବୁଗୁଡ଼ାରେ ବିଦ୍ଯୁତ୍ ସରବରାହ ବନ୍ଦ ସହ ମେଡିକାଲ ଛକରେ ଥିବା ଏକ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିଲା ବେଳେ ତାହାକୁ ସକାଳେ ଏନ୍ଏସି କର୍ମଚାରୀଙ୍କ ଦ୍ବାରା ହଟାଯାଇଥିଲା ।