September 28, 2026

ତାଳଚେର ସୁଧୀର ବାରିକ ହତ୍ୟାକାଣ୍ଡର ପର୍ଦାଫାଶ, ପତ୍ନୀ ଓ ପ୍ରେମିକ ଗିରଫ

IMG-20260928-WA0033
Share

 

ତାଳଚେର : ତାଳଚେରର ବହୁଚର୍ଚ୍ଚିତ ସୁଧୀର ବାରିକ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ମୃତକଙ୍କ ପତ୍ନୀ ପୂଜା ଓରଫ ସୁସ୍ମିତା ବାରିକ ଏବଂ ଗଡ଼ସନ୍ତ୍ରୀ ଗ୍ରାମର ଜିପୁନ ଓରଫ ସିଦ୍ଧାନ୍ତ ମାଝୀଙ୍କୁ ପୋଲିସ ଗିରଫ କରିଛି।

ଗତ ୨୪ ତାରିଖରେ ସୁଧୀର ବାରିକଙ୍କୁ ଘର ତଳେ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ପ୍ରାଥମିକ ଭାବେ ସେ ଛାତରୁ ଖସିପଡ଼ିଥିବା ସନ୍ଦେହ କରାଯାଇଥିଲା। ତେବେ ପରିବାର ପକ୍ଷରୁ ଏହାକୁ ନେଇ ସନ୍ଦେହ ପ୍ରକାଶ କରାଯିବା ସହ ପରକୀୟା ସମ୍ପର୍କକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ ହୋଇଥିଲା।

ପରିବାରର ଅଭିଯୋଗ ଏବଂ ଘଟଣାସ୍ଥଳର ପରିସ୍ଥିତିକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏହା ଏକ ପୂର୍ବପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି। ତଦନ୍ତରୁ ମୃତକଙ୍କ ପତ୍ନୀ ସୁସ୍ମିତା ଏବଂ ସିଦ୍ଧାନ୍ତ ମାଝୀଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।

ପୋଲିସର ସୂଚନା ଅନୁସାରେ, ଯୋଜନାବଦ୍ଧ ଭାବେ ଘରର ସିସିଟିଭି ବ୍ୟବସ୍ଥାକୁ ଅଚଳ କରାଯାଇଥିଲା। ସିଦ୍ଧାନ୍ତ ମାଝୀ ପୂର୍ବରୁ ଘରେ ଲୁଚି ରହିଥିଲେ। ପରେ ରାତିରେ ସୁଧୀରଙ୍କୁ ଛାତ ଉପରକୁ ନେଇ ଆକ୍ରମଣ କରାଯିବା ପରେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଘଟଣାକୁ ଦୁର୍ଘଟଣା କିମ୍ବା ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ତଦନ୍ତରୁ ସାମ୍ନାକୁ ଆସିଛି।

ଘଟଣାରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ଅଧିକ ତଦନ୍ତ ଜାରି ରଖିଛି।