୨୨୫ କୋଟିର ହାସିସ ତେଲ ମାମଲାର ତଦନ୍ତ STF ହାତରେ
କୋରାପୁଟ, ୨୭ ସେପ୍ଟେମ୍ବର: କୋରାପୁଟରେ ଜବତ ହୋଇଥିବା ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ହାସିସ ତେଲ ମାମଲାର ତଦନ୍ତକୁ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ନିଜ ହାତକୁ ନେଇଛି। ଏହି ଘଟଣାକୁ ରାଜ୍ୟର ସାମ୍ପ୍ରତିକ ସମୟର ଏକ ବଡ଼ ନିଶାଦ୍ରବ୍ୟ ଚୋରା କାରବାର ମାମଲା ଭାବେ ଦେଖାଯାଉଥିବାବେଳେ, ଏହା ପଛରେ ଥିବା ସଂଗଠିତ ନେଟୱର୍କର ସନ୍ଧାନ ପାଇଁ STF ବ୍ୟାପକ ତଦନ୍ତ ଆରମ୍ଭ କରିଛି।
ପ୍ରାରମ୍ଭିକ ତଦନ୍ତରେ ହାସିସ ତେଲ ପ୍ରସ୍ତୁତି, ସଂରକ୍ଷଣ ଓ ଚୋରା ଚାଲାଣ ସହ ଜଡ଼ିତ ଏକ ସୁସଂଗଠିତ ଚକ୍ର ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଏହି କାରବାରର ରାଜ୍ୟ ବାହାର ସଂଯୋଗ, ଆର୍ଥିକ କାରବାର ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକାକୁ ମଧ୍ୟ STF ଖତିଆନ କରୁଛି।
ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳରୁ ଜବତ ସାମଗ୍ରୀର ଫରେନସିକ ପରୀକ୍ଷା ସହିତ ଡିଜିଟାଲ ଓ ଆର୍ଥିକ ପ୍ରମାଣ ସଂଗ୍ରହ କରୁଛନ୍ତି। ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟର ଏଜେନ୍ସିଙ୍କ ସହଯୋଗରେ ମଧ୍ୟ ତଦନ୍ତକୁ ଆଗକୁ ବଢ଼ାଯିବ ବୋଲି ସୂଚନା ମିଳିଛି। STFର ଏହି ପଦକ୍ଷେପ ପରେ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାରେ ନିଶାଦ୍ରବ୍ୟ ଚୋରା କାରବାର ବିରୋଧରେ ଅଭିଯାନ ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି। ଗୁପ୍ତେଶ୍ଵର ରଥ କୋରାପୁଟ)
