ନିଜ ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ
ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ନିକଟସ୍ଥ ଦେଓଳୀ ଗ୍ରାମକୁ ଯାଇଥିବା ରାସ୍ତାରେ ବର୍ଷା ଜଳ ଜମି ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ନିଜେ ରାସ୍ତାକୁ ଓଲ୍ହାଇ ସଫା କଲେ ଯୁବକ। ଲଗାଣ ବର୍ଷା ଯୋଗୁଁ ଦେଓଳୀ ଗ୍ରାମକୁ ଯାଇଥିବା ରାସ୍ତା ର ଏକାଧିକ ସ୍ଥାନରେ ପାଣି ଜମି ରହିଥିବା ବେଳେ ଯାତାୟାତ କରୁଥିବା ଲୋକ ମାନେ ବିଶେଷ ଭାବେ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ରାସ୍ତାରେ ପାଣି ଜମି ରହିବାର ମୁଖ୍ୟ କାରଣ ପାଣି ନିଷ୍କାସନ ପଥରେ ଅଳିଆ ଆବର୍ଜନା ଓ ମାଟି ରହି ନିଷ୍କାସନ ପଥକୁ ରୁନ୍ଧ୍ର କରି ରଖିଥିଲା। ଏହି ସମସ୍ୟାକୁ ଦେଖି ଦେଉଳୀ ଗ୍ରାମର ଯୁବକ ମାନେ ଅନ୍ୟ କାହାକୁ ଅପେକ୍ଷା ନ କରି ନିଜେ କୋଦାଳ ଧରି ଜମି ରହିଥିବା ଅଳିଆ ଆବର୍ଜନା ଓ ମାଟି କୁ ସଫା କରିଥିଲେ। ଫଳରେ ଜମି ରହିଥିବା ପାଣି ଧୀରେ ଧୀରେ ନିଷ୍କାସିତ ହୋଇ ରାସ୍ତାରେ ଯାତାୟାତ ସ୍ୱାଭାବିକ ହେବାରେ ସହାୟତା ମିଳିଥିଲା। ନିଜ ଅଞ୍ଚଳର ସମସ୍ୟାକୁ ନିଜର ସମସ୍ୟା ଭାବି ଏଭଳି ଆଗେଇ ଆସିଥିବା ଯୁବପିଢ଼ି ପାଇଁ ଏକ ସକାରାତ୍ମକ ଉଦାହରଣ। ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଗ୍ରାମର ଯୁବକ କିରଣ ପ୍ରଧାନ, ସଂଜୀବ କୁମାର ସାହୁ, ସରୋଜ ବିଶ୍ୱାଲ, ରାହୁଲ ବିଶି ଙ୍କ ଏହି ପ୍ରୟାସ କୁ ଭୂୟଶୀ ପ୍ରଶଂସା କରିଥିଲେ। ରାସ୍ତା ରେ ପାଣି ଜମି ନ ରହି ନିରବିଛୀନ ନିଷ୍କାସନ ବ୍ୟବସ୍ଥା କୁ ସ୍ଥାୟୀ ଭାବରେ ସୁଧାରିବା ପାଇଁ ସମ୍ପୃକ୍ତ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
