ବୁଗୁଡ଼ା ପୋଲିସ ପଞ୍ଝାରେ ଛେଳି ଚୋର ଗ୍ୟାଙ୍ଗ୍ , ୩ ଗିରଫ , ୧୪ଟି ଛେଳି ଉଦ୍ଧାର

ବୁଗୁଡା : ତା ୨୩/୦୯/୨୬ : (ହର ପ୍ରସାଦ ପାଢି) ବୁଗୁଡ଼ା ଥାନା ଅଞ୍ଚଳରେ ଛେଳି ଚୋର ଗ୍ଯାଙ୍ଗ ସକ୍ରିୟ ରହି ଅନେକ ସ୍ଥାନରୁ ଛେଳି ଚୋରି କରି ଛେଳି ପାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲା ବେଳେ ଆଜି ସେହି ଗ୍ଯାଙ୍ଗର ୩ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ଏକ ଡାଲା ଅଟୋ ଏବଂ ୧୪ଟି ଛେଳିକୁ ଜବତ କରିଥିବା ଜଣାଯାଇଛି। ଗିରଫ ତିନିହେଁ ହେଲେ ଆସ୍କା ଥାନା ଅନ୍ତର୍ଗତ କାମାଗଡା ଗ୍ରାମର ପ୍ରକାଶ ପାତ୍ର (୫୦) , ବୁଗୁଡ଼ା ଥାନା ଅଧୀନସ୍ଥ ନିମପଦର ଗାଁ ନୂଆସାହିର ସୁଶାନ୍ତ ସାହୁ(୩୩) ଓ ଶିବରାମ ଘଡେଇ(୩୦) । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୪୬୧/୨୬ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପ୍ରକାଶ କରିଛି। ପ୍ରକାଶ ଯେ , ବୁଗୁଡ଼ା ଅଞ୍ଚଳରେ ଘନ ଘନ ଛେଳି ଚୋରି ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ବେଳେ ଏବେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଛେଳି ଚୋର ଗ୍ଯାଙ୍ଗକୁ ଚିହ୍ନଟ ନିମନ୍ତେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଳି ଚୋର ଗ୍ଯାଙ୍ଗର ତିନି ଜଣ ଚୋରଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡିଙ୍କ ନେତୃତ୍ୱରେ ଗଠିତ ଏହି ପୋଲିସ ଦଳରେ ବୁଗୁଡା ଏସ୍ଆଇ ଜ୍ଯୋତିଶ୍ରୀ ସାହୁ ଓ ଅଜୟ ମଲ୍ଲିକଙ୍କ ସମେତ ଏଏସଆଇ ସୁମନ୍ତ କୁମାର ବେହେରା ଓ ଉପେନ୍ଦ୍ର କ୍ରାସକା , ଓଏପିଏଫ୍ ଲୋକନାଥ ନାୟକ, କନଷ୍ଟେବଲ ଉମେଶ କୁମାର ଗୌଡ, ହୋମଗାର୍ଡ ଉତ୍ତମ କୁମାର ସ୍ବାଇଁ ଓ ଚନ୍ଦନ ନାୟକ ପ୍ରମୁଖ ସାମିଲ ରହିଥିଲେ। ତେବେ ଗିରଫ ଛେଳି ଚୋର ତିନିହେଁଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ବୁଗୁଡ଼ା ଥାନା ଅଞ୍ଚଳରେ ଛେଳି ଚୋରି ଘଟଣା ଅନେକ ଥର ଘଟିଥିଲା ବେଳେ ଚଳିତ ମାସ ୧୫ ତାରିଖ ବିଳମ୍ବିତ ରାତିରେ ଭୋଗଡା ଗ୍ରାମର କୃଷ୍ଣଚନ୍ଦ୍ର ଗୌଡଙ୍କ ୭୦ଟି ଛେଳି ଓ ୧୦ଟି ମେଣ୍ଢା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ବି.ବ୍ରହ୍ମପୁର ଗାଁର ବନା ଗୌଡଙ୍କ ୩୨ଟି ଛେଳି ଏବଂ ତାକରଡା ଗାଁର ନାୟକଙ୍କ ୭ଟି ଛେଳି ଚୋରି ହୋଇଥିଲା । ତେବେ ଏହି ଛେଳି ଚୋର ଗ୍ଯାଙ୍ଗର ତିନି ଜଣ ଚୋର ପୋଲିସ ପଞ୍ଝାରେ ପଡିଥିବା ବେଳେ ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି।
