September 23, 2026

ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୩ ତମ ଜୟନ୍ତୀ ଋାଜ୍ୟ ସଂସ୍କୃତି ବିଭାଗର ଲୋକନୃତ୍ୟ ପୁରସ୍କାର ପଦ୍ମଶ୍ରୀ ଭଗବାନ ସାହୁଙ୍କ ନାମରେ ନାମିତ ହେଉ

IMG-20260923-WA0021
Share

 

 

 

ବ୍ରହ୍ମପୁର, ୨୧/୦୯: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଲୋକନୃତ୍ୟ ବିଭାଗର ପୁରସ୍କାର ଲୋକନୃତ୍ୟର ପ୍ରଥିତଯଶା ଗୁରୁ ପଦ୍ମଶ୍ରୀ ଭଗବାନ ସାହୁଙ୍କ ନାମରେ ନାମିତ କରାଯିବାକୁ ଆଜି ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୩ତମ ଜୟନ୍ତୀ ଅବସରରେ ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ସେହିପରି ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦ୍ମଶ୍ରୀ ଭଗବାନ ସାହୁଙ୍କ ନାମରେ ଏକ ସମ୍ମାନଜନକ ଚେୟାର ପ୍ରତିଷ୍ଠା କରାଯିବାକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଦାବୀ ଓ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଲୋକନୃତ୍ୟ ପ୍ରତି ଆକର୍ଷିତ କରିବାକୁ ବିଭିନ୍ନ ଯୋଜନାର ଅୟମାରମ୍ଭ କରାଯିବା ଉଚିତ ବୋଲି ମତପୋଷଣ କରିଥିଲେ ।

ନରେନ୍ଦ୍ରପୁର ଲୋକନୃତ୍ୟ ଅନୁଷ୍ଠାନ, ବଡ଼କୁଶସ୍ଥଳୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ସାହୁଙ୍କ ନିଜ ଗ୍ରାମ ବଡ଼କୁଶସ୍ଥଳୀଠାରେ ଆୟୋଜିତ ୧୧୩ ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତା ମତପ୍ରକାଶ କରିଛନ୍ତି ।

ବରିଷ୍ଠ ଆଇନଜୀବୀ ତଥା ସମାଜବିଜ୍ଞାନୀ ଭଗବାନ ସାହୁଙ୍କ ସଭାପତିତ୍ୱ ଏବଂ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଲୋକକଳା ଫାଉଣ୍ଡେସନ୍ର ରାଜ୍ୟ ଆବାହକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଭାବେ ସଂସ୍କୃତି ବିଭାଗର ପୂର୍ବତନ ସହ ନିଦେ୍ର୍ଦଶକ କୃଷ୍ଣଚନ୍ଦ୍ର ନିଶଙ୍କ ଯୋଗ ଦେଇ ପଦ୍ମଶ୍ରୀ ଭଗବାନ ସାହୁଙ୍କ କୃତ ସମସ୍ତ ଲୋକନୃତ୍ୟର ନିରନ୍ତରାତା ଜାରି ରଖିବାକୁ ମତବ୍ୟକ୍ତ କରିଥିବା ବେଳେ ମୁଖ୍ୟବକ୍ତା ଭାରତଲୀଳା ଗୁରୁ ସନ୍ତୋଷକୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଜିଲ୍ଳା ସଂସ୍କୃତି ପରିଷଦର ସଦସ୍ୟ ଅରୁଣ କୁମାର ଶତପଥୀ, ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ, ସରପଞ୍ଚ ସୁନୀତା ସେଠୀ, ପଦ୍ମଶ୍ରୀ ସାହୁଙ୍କ କନିଷ୍ଠ ପୁତ୍ର କିଶୋର କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖି ପଦ୍ମଶ୍ରୀ ଭଗବାନ ସାହୁଙ୍କ ଜୀବନବ୍ୟାପୀ ସାଧନା, ପ୍ରତିଷ୍ଠା ଆଦି ସମ୍ପର୍କରେ ସ୍ମୃତିଚାରଣ କରି ବିଶ୍ୱର ଲୋକନୃତ୍ୟ ଜଗତକୁ ଶ୍ରୀ ସାହୁଙ୍କର ଅବଦାନକୁ ସ୍ମରଣ କରିଥିଲେ । ଏହି ଅବସରରେ କୃଷ୍ଣଚନ୍ଦ୍ର ନିଶଙ୍କଙ୍କୁ “ଶ୍ରେଷ୍ଣ ସାଂସ୍କୃତିକ ବ୍ୟକ୍ତିତ୍ୱ ସମ୍ମାନ ସନନ୍ଦ-୨୦୨୬”, ଭାରତଲୀଳା ଗୁରୁ ନବଘନ ପରିଡ଼ା, ପ୍ରହଲ୍ଳାଦ ନାଟକ ଗୁରୁ ବିପ୍ରଚରଣ ପ୍ରଧାନ ଏବଂ ରାମଲୀଳା ଗୁରୁ ଲଡ଼ୁ ବିଶ୍ୱାଳଙ୍କୁ ‘ସଂସ୍କୃତି ସମ୍ମାନ ସନନ୍ଦ-୨୦୨୬’ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ରବୀନ୍ଦ୍ରକୁମାର ପଣ୍ଡା, ବିଭୂଧେନ୍ଦ୍ର ପାଢ଼ୀ ଏବଂ ରାଜୀବ ଲୋଚନ ମିଶ୍ରଙ୍କୁ ଗଣମାଧ୍ୟମ ସମ୍ମାନ ସନନ୍ଦ-୨୦୨୬ ସମ୍ମାନ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ଗଞ୍ଜାମ ଜିଲ୍ଳାର ୨୨ଟି ବ୍ଲକ୍ର କଳାକାର ମହାସଂଘ ଉପସଭାପତିମାନଙ୍କୁ ମାନପତ୍ର ଓ ସ୍ମାରକୀ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଲୋକନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଳ କରିଥିବା ୩ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ କୁନି କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ଓ ଭଜନ ପରିବେଷଣ କରାଯାଇଥିଲା ।

ନରେନ୍ଦ୍ରପୁର ଲୋକନୃତ୍ୟ ଅନୁଷ୍ଠାନର ସମ୍ପାଦକ ରାଜେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।