ବତ୍ରିଶ ସିଂହାସନରେ ଦଶହରାର ଶୁଭାରମ୍ଭ
*ପବିତ୍ର ମୃତ୍ତିକା ପୂଜନ ସହ ଉଡ଼ିଲା ଆଜ୍ଞା ପତାକା*
କୋରାପୁଟ,(ହରିଶ କୁମାର ପଟ୍ଟନାୟକ )
ଇତିହାସର ପୃଷ୍ଠାରେ ନିଜର ସ୍ୱତନ୍ତ୍ର ପରିଚୟ ଅଙ୍କିଥିବା ନନ୍ଦପୁରରେ ପୁଣି ଶୁଭିଲା ଦଶହରାର ଆଗମନୀ ସ୍ୱର। ପାରମ୍ପରିକ ରାଜକୀୟ ପରମ୍ପରା ଓ ଲୋକଆସ୍ଥାର ପବିତ୍ର ସମନ୍ୱୟରେ ପ୍ରସିଦ୍ଧ ବତ୍ରିଶ ସିଂହାସନ ପୀଠରେ ଚଳିତ ବର୍ଷର ଦଶହରା ପୂଜାବିଧିର ଶୁଭାରମ୍ଭ ହୋଇଛି। ଶୁକ୍ରବାର ପବିତ୍ର ମୃତ୍ତିକା ପୂଜନ ଓ ଆଜ୍ଞା ପତାକା ସ୍ଥାପନ ବିଧି ସମ୍ପନ୍ନ ହେବା ସହ ମା’ଙ୍କ ଆଗମନ ପାଇଁ ପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ନନ୍ଦପୁରର ଦଶହରା କେବଳ ଏକ ପୂଜା ନୁହେଁ, ଏହା ରାଜପରମ୍ପରା, ଲୋକବିଶ୍ୱାସ ଓ ଶତାବ୍ଦୀ ପୁରୁଣା ସଂସ୍କୃତିର ଜୀବନ୍ତ ପ୍ରତିଛବି। ରାଜଶାସନ ଅମଳରୁ ଚାଲିଆସୁଥିବା ଏହି ନୀତିକାନ୍ତିରେ ନନ୍ଦପୁରର ଦେବାଦେବୀଙ୍କ ପୀଠରୁ ଦଶହରା ଲାଠି ଜୟପୁର ରାଜଉଆସକୁ ଯିବାର ପରମ୍ପରା ଆଜି ବି ଅତୀତର ସ୍ମୃତିକୁ ଉଜ୍ଜୀବିତ କରେ।
ପରମ୍ପରା ଅନୁଯାୟୀ ଶୁକ୍ରବାର ନନ୍ଦପୁର ସଦରର ବତ୍ରିଶ ସିଂହାସନ, ଭଣ୍ଡାର ଘରଣୀ, ଗ୍ରାମଦେବୀ ଠାକୁରାଣୀ, ସିନ୍ଦୂର ଗୋଛିଆଣି, ଦୁଆରଶୁଣି, ତିନି ଭୈରବୀ ଓ କନକ ଦୁର୍ଗା ପୀଠରୁ ପବିତ୍ର ମୃତ୍ତିକା ସଂଗ୍ରହ କରାଯାଇଥିଲା। ଏଥିସହ କୁମ୍ଭାର ମାଟି ଓ ବେଡ଼ା ମାଟି ସଂଗ୍ରହ କରି ଭିତରଗଡ଼ ଗଙ୍ଗେଇଶୁଣି ନଦୀଘାଟରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା।
ପୂଜକ ରିଙ୍କୁ ପଣ୍ଡା, କର୍ତ୍ତା ଲିଙ୍ଗରାଜ ଚୌଧୁରୀ, ମୂର୍ତ୍ତିକାର ରାମଚନ୍ଦ୍ର ଚାଲାଣ (ମିନୁ), କୁମ୍ଭାର ମନ ଚାଲାଣ, ଶଙ୍ଖୁଆ ଚୁନୁମୁନୁଙ୍କ ସମେତ ପୂଜା କମିଟି ସଭାପତି ତୁଷାର କାନ୍ତ ମହାନ୍ତି, ସଦସ୍ୟ ସୁରେଶ କୁମାର ପଣ୍ଡା, ଭୁବନ ଆସନ୍ଧାରୀ, ଭଗବାନ ଖରା ପ୍ରମୁଖଙ୍କ ଉପସ୍ଥିତିରେ ମୃତ୍ତିକା ପୂଜନ ନୀତି ସମ୍ପନ୍ନ ହୋଇଥିଲା।
ପରେ ପୂଜିତ ମୃତ୍ତିକା, କଳସ ଓ ଆଜ୍ଞା ପତାକାକୁ ଶୋଭାଯାତ୍ରାରେ ବତ୍ରିଶ ସିଂହାସନ ପୀଠକୁ ଅଣାଯାଇ ବିଧିବଦ୍ଧ ଭାବେ ସ୍ଥାପନ କରାଯାଇଥିଲା। ଏହା ସହିତ ମା’ ମହିଷାମର୍ଦ୍ଦିନୀଙ୍କ ଆଗମନ ପାଇଁ ଆରମ୍ଭ ହୋଇଛି ପ୍ରତୀକ୍ଷାର ପର୍ବ।
ମୂର୍ତ୍ତିକାର ରାମଚନ୍ଦ୍ର ଚାଲାଣ ଓ କୁମ୍ଭାର ମନ ଚାଲାଣ ପବିତ୍ର ମୃତ୍ତିକାରେ ମା’ ମହିଷାମର୍ଦ୍ଦିନୀଙ୍କ ସମେତ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ମୃଣ୍ମୟ ବିଗ୍ରହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ମାଟିର ପ୍ରତ୍ୟେକ ପରସ୍ତରେ ଏବେ ଆକାର ନେଉଛି ଭକ୍ତି, ଆସ୍ଥା ଓ ଶକ୍ତିର ପ୍ରତୀକ ମା’ଙ୍କ ଦିବ୍ୟ ରୂପ।
ପୂର୍ବବର୍ଷର ପରମ୍ପରାକୁ ଅକ୍ଷୁଣ୍ଣ ରଖି ଚଳିତ ବର୍ଷ ମଧ୍ୟ ବତ୍ରିଶ ସିଂହାସନ ପୀଠରେ ଦଶହରା ପୂଜାବିଧି ମହାଆଡ଼ମ୍ବରରେ ପାଳନ କରାଯିବ ବୋଲି ଦୁର୍ଗାପୂଜା କମିଟି ସଭାପତି ତୁଷାର କାନ୍ତ ମହାନ୍ତି ସୂଚନା ଦେଇଛନ୍ତି।
