September 20, 2026

ଜୟପୁର ଦଶହରା ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି..

IMG-20260920-WA0045
Share

 

*ସୁରକ୍ଷାଠାରୁ ଯାତାୟାତ, ସ୍ୱାସ୍ଥ୍ୟ ଓ ଆଲୋକୀକରଣକୁ ଗୁରୁତ୍ୱ*

ଆସନ୍ତା ଦଶହରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଆକର୍ଷଣୀୟ ଭାବେ ପାଳନ ପାଇଁ ଜୟପୁରରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସି ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।

ଚଳିତବର୍ଷ ସହରରେ ୧୦ଟି ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯିବ। ବିଭିନ୍ନ ଅଞ୍ଚଳରୁ ୧୫୦ରୁ ଅଧିକ ଲାଠି ଆସିବାକୁ ଥିବାରୁ ସେମାନଙ୍କ ରହଣି ଓ ଖାଦ୍ୟ ବ୍ୟବସ୍ଥା ଦେବୋତ୍ତର ବିଭାଗ ପକ୍ଷରୁ କରାଯିବ। ଅକ୍ଟୋବର ୫ ମୂଳାଷ୍ଟମୀ ଅବସରରେ ବିଭିନ୍ନ ଦେବାଦେବୀଙ୍କ ନିମନ୍ତ୍ରଣ ସହ ଛଅ ଖଣ୍ଡ ଗ୍ରାମ—ସଲପା, ତେଲିଆ, ଧାରଣାହାଣ୍ଡି, କଙ୍ଗା, ଜାମୁଣ୍ଡା ଓ ଖଡ଼ପା—ର ଠାକୁରାଣୀଙ୍କ ନଗର ପରିକ୍ରମା ସନ୍ଧ୍ୟା ୭ରୁ ୯ଟା ମଧ୍ୟରେ ହେବ।

ପରିକ୍ରମା ସମୟରେ ପୁଲିସ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଦୁଇଜଣ କନଷ୍ଟେବଲ ଓ ଜଣେ ପୁଲିସ କର୍ମଚାରୀ ନିୟୋଜିତ ରହିବେ। ଆବଶ୍ୟକତା ଦୃଷ୍ଟିରୁ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିବ।

ପୂଜା ସମୟରେ ରାଜାନଗର, କାଳିକା ମନ୍ଦିର, ବସନ୍ତଦେଇ, ଭୁଜପତି ସାହି ଓ ପାରାବେଡ଼ା ଅଞ୍ଚଳର ପେଣ୍ଡାଲ ସମେତ ଭୋଗ ପ୍ରଦାନ ସ୍ଥଳରେ ଆଲୋକୀକରଣ କରାଯିବ। ପୂଜା ଦିନଗୁଡ଼ିକରେ ପେଣ୍ଡାଲ ଭିତରେ ଦୀପ ଜାଳିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ଦୀପ ଷ୍ଟାଣ୍ଡ ବ୍ୟବହାର ପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ।

ଯାନବାହନ ନିୟନ୍ତ୍ରଣ ପାଇଁ ରାଜାନଗରରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଏକମୁଖୀ ଯାତାୟାତ ବ୍ୟବସ୍ଥା କରାଯିବ। ଚାରିଚକିଆ ଯାନ ପାର୍କିଂ ପାଇଁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ପୁରୁଣା ତହସିଲ କାର୍ଯ୍ୟାଳୟ, ନୂଆ ବସ୍‌ଷ୍ଟାଣ୍ଡ ଓ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖ ଅଞ୍ଚଳରେ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ମୃଣ୍ମୟୀ ମୂର୍ତ୍ତି ନିକଟରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ।

ଦଶହରାରେ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଶୋଭାଯାତ୍ରା ଦିନ ଗୋଟିଏ ଆମ୍ବୁଲାନ୍ସ ସଜାଗ ରହିବ। ରାଜାନଗର ଛକରେ ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ ସହ ଜଣେ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ଏଥିସହ ଛଅଟି ସ୍ଥାନରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯିବ।

ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ସହରରେ ମଦ ଦୋକାନ ବନ୍ଦ ରହିବ। ଏହି ସମୟରେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଯାଞ୍ଚ କରିବେ। ପୂଜାକୁ ଶୃଙ୍ଖଳିତ ରଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯିବ।

ଦଶହରା ଅବସରରେ ପାଞ୍ଚଦିନ ଧରି ବସନ୍ତଦେଇ ମନ୍ଦିର, ଜଗତ ଜନନୀ ମନ୍ଦିର ନିକଟ, ରାଜାନଗର ଛକ ଓ ପାରାବେଡ଼ାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଅକ୍ଟୋବର ୧୬ରେ ଶ୍ରୀଶ୍ରୀ କାଳିକା ଦେବୀଙ୍କ ସୁନାବେଶ ଓ ଅକ୍ଟୋବର ୧୯ରେ ବିଶ୍ରାମ ପୂଜା ଅବସରରେ ଶ୍ରୀଶ୍ରୀ ଭଗବତୀ ଦେବୀଙ୍କ ସୁନାବେଶ ଅନୁଷ୍ଠିତ ହେବ।

ବିସର୍ଜନ ଦିନ ଦଶହରା ପଡ଼ିଆରେ ଦୁଇଟି ଅଗ୍ନିଶମ ବାହନ ଦୁଇ ପାର୍ଶ୍ୱରେ ରହିବ। ଏହି ଅବସରରେ ଏସ୍‌ପି, ଜିଲ୍ଲାପାଳ ଓ ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ବିମାନ ଯାତ୍ରା ପଥରେ ଲିଚୁ ଲାଇଟ୍‌ ଓ ଚାରିପାଖରେ ଟ୍ୟୁବ୍‌ଲାଇଟ୍‌ ବ୍ୟବସ୍ଥା କରାଯିବ। ଏହାର ଦାୟିତ୍ୱ ପୂର୍ତ୍ତ ବିଭାଗକୁ ଦିଆଯାଇଛି।

ଅକ୍ଟୋବର ୧୧ରୁ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ପୂଜା ପେଣ୍ଡାଲଗୁଡ଼ିକର ମାନ ଓ ସୁରକ୍ଷା ବ୍ୟବସ୍ଥା ଏସ୍‌ଡିଓ, ଆର୍‌ ଆଣ୍ଡ୍‌ ବି, ଜୟପୁରଙ୍କ ଦ୍ୱାରା ଯାଞ୍ଚ କରାଯିବ।

ବୈଠକରେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଏସ୍‌ଡିପିଓ ଅର୍ଚ୍ଚିତା ମିତ୍ତଲ, ତହସିଲଦାର ସବ୍ୟସାଚୀ ଜେନା, ବିଡିଓ ଶକ୍ତି ମହାପାତ୍ର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ଦେବୋତ୍ତର ବିଭାଗ ସମ୍ପାଦକ ଦେବେନ୍ଦ୍ର ବାହିନୀପତି, ବାଣିଜ୍ୟ ସଂଘ ସଭାପତି ସଞ୍ଜୟ ଜୈନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟି କର୍ମକର୍ତ୍ତା, ସେବାୟତ, ବ୍ୟବସାୟୀ, ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର

You may have missed