ଜାତୀୟ ପାୱାରଲିଫ୍ଟିଂରେ ସମ୍ବଲପୁରର ଦବଦବା ୪୬ତମ ନ୍ୟାସନାଲ୍ ଚାମ୍ପିୟନଶିପ୍ରେ ହାସଲ କଲେ ୯ଟି ସ୍ୱର୍ଣ୍ଣ ପଦକ
ସମ୍ବଲପୁର, ୧୩.୦୯: ୪୬ତମ ନ୍ୟାସନାଲ୍ ପାୱାରଲିଫ୍ଟିଂ ଚାମ୍ପିୟନଶିପ୍–୨୦୨୬ରେ ସମ୍ବଲପୁରର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ୯ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସଫଳତା ଜିଲ୍ଲା ସମେତ ସମଗ୍ର ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଏକ ନୂଆ ଗୌରବ ଯୋଡ଼ିଛି। ଚାମ୍ପିୟନଶିପ୍ରେ ଓଡ଼ିଶାର ଖେଳାଳିମାନେ ସମୁଦାୟ ପ୍ରାୟ ୩୪ଟି ପଦକ ହାସଲ କରିଥିବା ଜଣାପଡ଼ିଛି।
ଦିଲ୍ଲୀର ପିତମ୍ପୁରାସ୍ଥିତ ଦିଲ୍ଲୀ ହାଟଠାରେ ଫେବୃଆରୀ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଜାତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୮୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।
ସମ୍ବଲପୁରର ସଫଳ ସ୍ୱର୍ଣ୍ଣ ବିଜେତାମାନଙ୍କ ମଧ୍ୟରେ ସିଦ୍ଧି ପୋଢ଼ (୫୨ କେଜି), ଦ୍ରୌପଦୀ ଧାରୁଆ (୬୩ କେଜି), ଡଲି ପୂଜାରୀ (୭୬ କେଜି), ଦୃଷ୍ଟି ରାଜ ବୋହିଦାର (୯୩ କେଜି), ଚାନ୍ଦିନୀ ଶର୍ମା (୮୪+ କେଜି), ସୁନିତା ନାଏକ (୮୪ କେଜି ବର୍ଗରେ ୨ଟି ସ୍ୱର୍ଣ୍ଣ), ଦିବ୍ୟା ବାଗ (୧୨୦+ କେଜି) ଏବଂ ସୋମନାଥ ପଟ୍ଟନାୟକ (୧୨୦ କେଜି) ରହିଛନ୍ତି।
ଖେଳାଳିମାନଙ୍କ ଏହି ସଫଳତା ପଛରେ ଥିବା କଠିନ ପରିଶ୍ରମ, ଶୃଙ୍ଖଳା ଓ ଦୃଢ଼ ମନୋବଳ ଯୁବପିଢ଼ି ପାଇଁ ପ୍ରେରଣାଦାୟକ ହୋଇଛି। ସମ୍ବଲପୁର ପାୱାରଲିଫ୍ଟିଂ ଏସୋସିଏସନ୍ର ସଭାପତି ସୁଧୀର ବହିଦାର ଓ ବରିଷ୍ଠ ସଦସ୍ୟ ବାବଲୁ ପଟ୍ଟନାୟକ ସମସ୍ତ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି।
